ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି , ଏପରି ଅଭିଯୋଗ ଆଣି ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଘେରାଉ କରାଯାଇଥିଲା । ଗୁମା ମଣ୍ଡଳ ଭାଜପା ସଭାପତି କୃଷ୍ଣଚନ୍ଦ୍ର ବିଶୋଇ ଙ୍କ ନେତୃତ୍ୱରେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସାଂପଦିକା ବବିତା ପାତ୍ର , ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ ଏବଂ ମହିଳା ମୋର୍ଚ୍ଚା ସଂପାଦିକା ଅରୁଣୀମା ସାହୁ ପ୍ରମୁଖ ଗୁମ୍ମା ସ୍ଥିତ ବଜାର ଛକ ଠାରୁ ଏକ ପ୍ରତିବାଦ ପଟୁଆରରେ ଆସି ବ୍ଲକ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ପରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ରାଜ୍ୟ ନେତୃବୃନ୍ଦ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ମହିଳା ମୋର୍ଚ୍ଚାର ବବିତା ପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ । ସେମାନେ କହିଥିଲେ ଯେ , ଗରିବ’ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୬ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ସେହି ଆବାସ ବଣ୍ଟନରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟର ବିଜେଡି ସରକାର ଦଳୀୟ ଭିତ୍ତିରେ ଏହି ଆବଣ୍ଟନ କରି ମହା ଦୁର୍ନୀତି କରିଛନ୍ତି । ବହୁ ଗରିବ ଲୋକ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡ ଦିଆଯିବା ସହ ଯୋଗ୍ୟ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ । ପରେ ବିଡ଼ିଓ ନଟବର ଗରଡଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗୁମ୍ମାବ୍ଲକ କୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଓ ବଣ୍ଟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ୱର ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ପି.ଲତାଙ୍କ ସମେତ ଜିଲ୍ଲା ଓ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ବ୍ଲକ ସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ .

Leave a Reply

Your email address will not be published. Required fields are marked *