ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ କଂଗ୍ରେସ ତାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ନରସିଂହପୁର ଟାଉନରେ ଥିବା ପଟ୍ଟନାୟକ ପେଟ୍ରୋଲ ଟାଙ୍କି ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ତଥା ନରସିଂହପୁର ବ୍ଲକ କଂଗ୍ରେସର ସଭାପତି ଶିଶିରକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସରକାରଙ୍କ ବିରୁଦ୍ଧରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଦସ୍ତଖତ ଅଭିଯାନ କରା ଯାଇଥିବା ବେଳେ ନରସିଂହପୁର କଂଗ୍ରେସର ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଅପ୍ରୀତିକର ପରିସ୍ଥିତି ତଥା ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ନରସିଂହପୁର ଥାନା ଅଧିକାରୀ ଙ୍କ ତତ୍ୱାବଧାନରେ ପୋଲିସ ମୁତୟନ କରାଯାଇଥିଲା।

