ଇମେଜ ବଞ୍ଚାଇବାକୁ ଉଦ୍ୟମ : କାର୍ଯ୍ୟକ୍ରମରୁ ଆଉଟ !! ପଦବୀରୁ କେବେ ??
ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକ ରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେବ , ଆଉ ସେଠି କୁସୁପଙ୍ଗି ପଞ୍ଚାୟତର ଅସୀତ ଜେନା ନ ଥିବେ . ଏମିତି ଦୃଶ୍ୟ କେବେ ଦେଖିବେ ବୋଲି ବିଜୁ ଜନତା ଦଳର କେହି ବି କର୍ମୀ ଭାବି ନଥିବେ . ହେଲେ ଏପରି ଘଟଣା ଘଟିଛି . ଆଉ ସେ ସବୁ ଫଟୋ କୁ ନିଜେ ବାଙ୍କୀ ବିଧାୟକ ନିଜ ଫେସବୁକ ପେଜ ରେ ସେୟାର କରିଛନ୍ତି . ତେବେ ପଢନ୍ତୁ କଣ ଥିଲା ପୁରା ଘଟଣାକ୍ରମ ../..
ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଓ ବାଙ୍କୀ ଏନ୍.ଏ.ସି ରେ ବିଜୁ ଛାତ୍ର ଜନତା ଦଳ ର ବ୍ଲକ ଓ ଏନ୍.ଏ.ସି ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ତଥା ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଶ୍ଵ ପ୍ରତାପ ସାହୁ ଏବଂ କଟକ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଆସିଫ୍ ଅମିନ ଉପସ୍ଥିତ ରହି ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ମାନଙ୍କ ଆଗରେ ସଂଗଠନର ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ . ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଲୋକ ମାନଙ୍କ ନିକଟରେ କିପରି ପହଞ୍ଚାଇହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଛାତ୍ର ଜନତା ଦଳର ସଦସ୍ୟ ମାନକ ଭୂମିକା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସମୟରେ ବାଙ୍କୀ ବିଧାୟକଙ୍କ ନେତୃତ୍ୱରେ କଟକ ଜିଲ୍ଲା ମୁଖ୍ୟାଳୟରୁ ଏହାର ଶୁଭାରମ୍ଭ ହୋଇଥିଲା . ତେବେ ଆମ ଖବର ର ଏ କାର୍ଯ୍ୟକ୍ରମ ସହିତ କୌଣସି ସମ୍ପର୍କ ନାହିଁ , ଖବର ତ ହେଲା // ବାଙ୍କୀ – ଡମପଡ଼ାରେ ବିଧାୟକଙ୍କର କାର୍ଯ୍ୟକ୍ରମ ହେଲା , ଆଉ ସେଠାରେ କୁସୁପଙ୍ଗି ର ବିଜେଡି ନେତା ତଥା ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସୀତ ଜେନା ଙ୍କର ଛାଇ ସୁଦ୍ଧା ପଡିଲା ନାହିଁ . ପାଠକ ଭାବୁଥିବେ , ଏ ଅସୀତ ଜେନା କିଏ ଯେ , ତାଙ୍କୁ ଏତେ ଚର୍ଚ୍ଚା ଆଉ ଉପାଖ୍ୟାନ . ହଁ ଠିକ କଥା ଆଜ୍ଞା . ତେବେ ଅସୀତ ଜେନା ହେଉଛନ୍ତି ଡମପଡା ବିଜେଡି ସଂଗଠନର ୧ ନମ୍ବର ନେତା , ନାଁ ନାଁ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ନୁହେଁ , ଦୁର୍ନୀତି ଆଉ ଘୋଟାଲା ରେ . ଆଉ ତାଙ୍କର କୁକର୍ମ କାରଣରୁ ଆଜି ଡମପଡା ସମେତ ବାଙ୍କୀ ର ବିଜେଡି ସଂଗଠନ ଆଲୋଚନା ସମାଲୋଚନା ର ଶରବ୍ୟ ହେଉଛି . ଏପରିକି ଖୋଦ ବିଧାୟକ ନିଜେ ମଧ୍ୟ ତାଙ୍କ ଉପରେ ଖପ୍ପା , ଏପରିକି ତଦନ୍ତ ଆଧାରରେ ଦୋଷ ପ୍ରମାଣିତ ହେଲେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ ମଧ୍ୟ କରିଛନ୍ତି .
ବିଗତ ଦିନ ମାନଙ୍କରେ ବାଙ୍କୀ ତଥା ଡମପଡା ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ ସମୟରେ ଯେଉଁ ଦୃଶ୍ୟ ଦେଖାଯାଏ , ଗତକାଲି ଆୟୋଜିତ କାର୍ଯ୍ୟକ୍ରମର ଦୃଶ୍ୟ ଥିଲା ନିଆରା . ଅବଶ୍ୟ କାର୍ଯ୍ୟକ୍ରମ ବିଜୁ ଛାତ୍ର ଜନତା ଦଳର ଥିଲା , ଆଉ ବାବୁ ଅସୀତ ଜେନା ହେଉଛନ୍ତି ଯୁବ ବିଜେଡି ସଂଗଠନର ନେତା . ତେବେ ଆଗରୁ କାର୍ଯ୍ୟକ୍ରମ ସମୟରେ କଟକ କାଳିଗଳି ରୁ ଗାଡି ଗଡ଼ିଲେ ଅସୀତ ଜେନା ଯାତମୁଣ୍ଡିଆ ଛକରେ ଭାଡ଼ି ଜଗି ବସି ରହିଥାନ୍ତି . ବିଧାୟକ ଆସନ୍ତୁ କି , ପୂର୍ବତନ ବିଧାୟକ – ସବୁ କାର୍ଯ୍ୟକ୍ରମରେ ଡାହାଣ ପାଳିଆ ପରି ଷ୍ଟେଜ ରେ ହଲହଲ ହଉଥାନ୍ତି . କିନ୍ତୁ ଏ ମଧ୍ୟରେ ବଦଳି ଯାଇଛି ବେଳ କାଳ , ବାଙ୍କୀ ବିଜେପି ଏମିତି ନାମ ଦେଇଛି ଯେ ତାଙ୍କ ସାଙ୍ଗେ ବୁଲିବାକୁ ଦଳୀୟ କର୍ମୀ ତ ଦୂରର କଥା ନେତା ମଧ୍ୟ ଚାରି ଥର ଭାବୁଛନ୍ତି . ଭାବିବେନି ବା କେମିତି , ସମଗ୍ର ରାଜ୍ୟରେ ମନରେଗା ଦୁର୍ନୀତିରେ ନୂଆ ରେକର୍ଡ କରିଛନ୍ତି ଅସୀତ ଜେନା . ବିରୋଧୀ ଦଳ ତ ଯାହା ଅଭିଯୋଗ ଆଣିଲେ ଆଣିଲେ , ଦଳ ଭିତରେ ମଧ୍ୟ ତାଙ୍କ ନାମରେ ଅଭିଯୋଗର ଲମ୍ବା ଫର୍ଦ୍ଦ . ଏପରି ସ୍ଥିତିରେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି . ଅନ୍ୟ ପକ୍ଷରେ ବିରୋଧୀ ଦଳ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଅସୀତ ଜେନା ଙ୍କ ଦୁର୍ନୀତି ଭ୍ରଷ୍ଟାଚାର ସମ୍ପର୍କରେ କହୁଥିଲେ ସୁଦ୍ଧା ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କାଳକ୍ଷେପଣ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି . ତେବେ ଅସମର୍ଥିତ ସୂତ୍ରରୁ ଯାହା ସୂଚନା ମିଳୁଛି , ପଦଵୀଚ୍ୟୁତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜୁନିୟର ସାର ଗ୍ରୀନ ସିଗନାଲ ଦେଇ ସାରିଥିବା ବେଳେ ସିନିୟର ସାର କଥାଟିକୁ ଟିକେ ହୋଲଡ଼ କରିଛନ୍ତି . ଦେଖାଯାଉ ଆଗକୁ କଣ ହେଉଛି , କାରଣ ନିଜେ ବଦନାମ ହୋଇ ଫେମସ ହେବା ତ ବଡ ସାର ଙ୍କର ନିଜସ୍ୱ ଷ୍ଟାଇଲ !!