ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଗ୍ରୀଷ୍ମ ଜଳବାୟୁରେ ବି ସମ୍ଭବ ଥଣ୍ଡା ଅଞ୍ଚଳରେ ଉତ୍ପାଦିତ ଫଳ । ଆର୍ଦ୍ର ଭୂମିରେ ଫଳିଛି ସେଓ । ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଗ୍ରୀଷ୍ମ ଜଳବାୟୁରେ ସେଓ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଭବାନୀପୁର ଗ୍ରାମର ଅରୁଣ ନାୟକ , ବିଦେଶରେ କାମ ଛାଡ଼ି ସେଓ ଚାଷକୁ ଆପଣେଇଛନ୍ତି ଅରୁଣ । ସେ ଚାଷ କାର୍ଯ୍ୟରେ ମାତିବା ସହ ସେଓ ଚାଷ କରିବାକୁ ମନ ବଲାଇଥିଲେ । ଏହି ସଫଳତା ପାଇଁ ତାଙ୍କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ଭବାନୀପୁର ଗ୍ରାମରେ ସେଓ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଅରୁଣ । ଏଥିପାଇଁ ୟୁଟ୍ୟୁବ ସହାୟତାରେ ଚାଷର ପ୍ରଣାଳୀକୁ ଦେଖିବା ପରେ ଅନଲାଇନରେ ୩୦ ଗୋଟି ଚାରା ହିମାଚଳ ପ୍ରଦେଶରୁ ମଗାଇଥିଲେ । ଘରେ ସେଓ ଚାରା ପହଞ୍ଚିବା ପରେ ଅରୁଣ ନିଜ ବଗିଚାରେ ରୋପଣ କରିଥିଲେ । ଏହାପରେ ଚାରା ମଗାଇବା ଠାରୁ ଆରମ୍ଭ କରି ଗଛର ଯତ୍ନ ନେବା ଯାଏ ସବୁ ୟୁଟ୍ୟୁବ ସହାୟତାରେ ହିଁ କରିଛନ୍ତି । ଏବଂ ୧୭ ମାସ ପରେ ଗଛରେ ଫଳିଥିଲା ସେଓ ।
ତେବେ ବୋଲଗଡ଼ ଭଳି ଏକ ଅଞ୍ଚଳରେ ସଫଳତାର ସହ ସେଓ ଚାଷ ହୋଇଥିବାରୁ ପ୍ରତିଦିନ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି । କେବଳ ଜନସାଧାରଣ କି ଚାଷୀ ନୁହେଁ, ଏହି ସଫଳ ଚାଷର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଗହଳି ଲାଗୁଛି । ୟୁଟ୍ୟୁବରେ ସେଓ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ହିମାଚଳ ପ୍ରଦେଶର ଏକ କୃଷିଭିତ୍ତିକ ସଂସ୍ଥାରୁ ଚାରା ପିଛା ୧୬୦ ଦରରେ ପ୍ରଥମେ ୩୦ଟି ଚାରା ମାଗାଇଥିଲେ ଅରୁଣ । ଚାରା ଘରେ ପହଁଚିବା ପରେ ତାଙ୍କ ପୈତୃକ ସାତଗୁଣ୍ଠ ଜମିରେ ରୋପଣ କରିଥିଲେ । ୫ ଫୁଟ ଦୂରତାରେ ମୋଟ ୩୦ଟି ଚାରା ରୋପଣ କରିଥିଲେ । ତେବେ ଚାରା ଯୋଗାଣ ସଂସ୍ଥା ୩ ବର୍ଷ ମଧ୍ୟରେ ଫଳ ହେବ ବୋଲି କୁହାଯାଇ ଥିଲେ ମଧ୍ୟ ମାତ୍ର ୧୭ ମାସ ମଧ୍ୟରେ ଗଛରେ ଫଳ ଧରି ସାରିଛି।ଫଳରେ ବେଶ୍ ଖୁସି ଅଛନ୍ତି । ଏନେଇ ସଫଳ ଚାଷୀ ଅରୁଣ କହିଛନ୍ତି ଯେ, ଆସନ୍ତା ୩ ବର୍ଷ ମଧ୍ୟରେ ବ୍ୟବସାୟିକ ଦୃଷ୍ଟି କୋଣରୁ କ୍ଵିଣ୍ଟାଲ ହିସାବରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏଥର ୮ ଟି ଗଛରେ ଫଳ ଆସିଥିଲା। ଗଛରେ ସେଓ ଫଳିବା ଦେଖି ଅରୁଣ ଙ୍କର ଉତ୍ସାହ ଆହୁରି ବୃଦ୍ଧି ପାଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ଗଛ ଲଗାଇବା ସହ ଥାଇଲାଣ୍ଡ ପିଜୁଳି ଲିଚୁ ଭଳି ଫଳଚାଷ ସହ ପୋଖରୀ ମାଛ କରି ସମ୍ପୂର୍ଣ୍ଣ ବ୍ୟବସାୟକୁ ଓହ୍ଲାଇବାକୁ କହିଛନ୍ତି ଅରୁଣ । ତେବେ ପ୍ରୋତ୍ସାହନ ମିଳିଲେ ଅରୁଣ ଆହୁରି ଆଗକୁ ଯାଇ ପାରିବେ ଏଥିରେ କୌଣସି ସନ୍ଦେହ ନାହିଁ । ଅରୁଣ ଙ୍କ ର ଏଭଳି ପ୍ରୟାସ ସଫଳ ହେବାପରେ ଅନେକ ଚାଷୀ ସେଓ ଚାଷ କରିବା ପାଇଁ ଆଗ୍ରହ ଦେଖିବାକୁ ମିଳିଛି ।