ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ . ସୂଚନା ମୁତାବକ ଆଜି ସକାଳ ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମର ରବି ପ୍ରଧାନଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ଘରକୁ କବଳିତ କରିଦେଇଥିଲା । ଏହା ଦେଖି ସାହି ପଡିଶା ଲୋକ ନିଆଁ ଲିଭାଇବା ପାଇଁ ଘର ଭିତରକୁ ପ୍ରବେଶ କରିବା ସମୟରେ ଏକ ବଡ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଗୁରୁତର ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଏମ୍ସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବେ ବେଳେ ଅନ୍ୟ ୨ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ . ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ରଂଜିତ ନାୟକ ଏବଂ ସରପଞ୍ଚ ଅଜୟ କୁମାର ମହାରଥା ଆଦି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତେବେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଠାକୁର ଘର ଦୀପ ଦ୍ୱାରା ନିଆଁ ଲାଗିଥିବାର ଅନୁମାନ କରାଯାଉଛି । ବିସ୍ଫୋରଣ କାରଣରୁ ଘରର ଏକାଧିକ କବାଟ ଭାଙ୍ଗି ଯାଇଥିବା ଜଣାଯାଇଛି । ତେବେ ଗ୍ୟାସ ଟାଙ୍କି ଫାଟିନଥିବାର ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ । ଘରେ ଥିବା ସମସ୍ତ ୩ ଟି ଗ୍ୟାସ ଟାଙ୍କି ସୁରକ୍ଷିତ ଅଛି । ତେବେ କେଉଁ କାରଣରୁ କିପରି ବିସ୍ଫୋରଣ ଘଟିଲା ତାହା ଏବେ ସୁଦ୍ଧା ଅସ୍ପଷ୍ଟ .
ଗମ୍ଭାରୀମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ : ୬ ଜଣ ଗୁରୁତର ।

