ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପରିବହନ ଠିକାଦାରଙ୍କ ମନମାନୀ ପାଇଁ ଟ୍ରକ ମାଲିକଙ୍କ ଅସହଯୋଗ ଆନ୍ଦୋଳନ । ଖଣି ଅଞ୍ଚଳରେ ପରିବହନ ବ୍ୟବସ୍ଥା ପୁରା ଠପ । ଯାଜପୁର ଜିଲ୍ଲା ସୁକିନ୍ଦା କ୍ରମାଇଟ ଖଣି ଅଞ୍ଚଳରେ ଆଜି ଠାରୁ ମାଲ ପରିବହନ ଚଳାଚଳ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ପରିବହନ ସଂସ୍ଥାର ମନମାନି ଓ ଭଡା କାଟିବା ପ୍ରତିବାଦରେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଆଜି ଠାରୁ ଖଣି ମଧ୍ୟକୁ ଗାଡି ନପଠାଇ ଅସହଯୋଗ ଆନ୍ଦୋଳନ ଜାରି ରଖିଛି । ଏହା ଫଳରେ ଖଣି ଅଞ୍ଚଳରେ ମାଲ ପରିବହନ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ବେଳେ ଆଗାମୀ ଦିନରେ ପରିବହନ ସଂସ୍ଥା ଦରଦାମ ସଠିକ ନଦେଲେ ଏ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସୁକିନ୍ଦା ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ସେପଟେ ଆଜି ସୁକିନ୍ଦା କୁହିକା ଟ୍ରକ ମାଲିକ ସଂଘ ପକ୍ଷରୁ ଖଣିରୁ ମାଲ ପରିବହନ ପାଇଁ ନିଜର ଗାଡି ପଠାଇଥିବା ବେଳେ ପରିବହନ ସଂସ୍ଥା ପକ୍ଷରୁ ସେମାନଙ୍କୁ ଲୋଡିଙ୍ଗ ଦିଆଯାଇ ନଥିବାରୁ ଖଣି ଅଂଚଳ ଏବେ ଅଶାନ୍ତ ହୋପଡିଛି । ଯୁବନେତା ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ କୁହିକା ଟ୍ରକ ମାଲିକ ସଂଘର ମାଲିକ ମାନେ ଆଜି କାଳିଆପାଣି ସ୍ଥିତ ଟାଟା କମ୍ପାନୀ ଗେଟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ଓ କାଳିଆପାଣି ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି .