ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଏବଂ ବାଲୁଗାଁକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା l ଦୀର୍ଘ କୋଡିଏ ବର୍ଷ ଧରି ଏହି ରାସ୍ତା ମଝିରେ ଥିବା ମା ମେଘାମ୍ବରୀ ପୀଠ ଠାରେ ପ୍ରାୟ ଏକ କିଲୋମିଟର ରାସ୍ତାରେ ଶାଳିଆ ନଦୀର ପାଣି ସୁଅ କାଟୁଛି l ମନ୍ଦିର ସହ ପ୍ରାୟ ତିନିଖଣ୍ଡ ଗ୍ରାମର ଲୋକ ପାଣି ଘେରରେ ଅଛନ୍ତି l ବର୍ଷା ଛାଡିଗଲା ପରେ ମଧ୍ୟ ଶାଳିଆ ଡ୍ୟାମରୁ ପାଣି ନ କମିଲା ପର୍ଯ୍ୟନ୍ତ ଏ ଅଞ୍ଚଳର ଲୋକେ ଏହିଭଳି ଅସୁବିଧା ଭୋଗ କରୁଛନ୍ତି l ପୂର୍ତ୍ତ ବିଭାଗକୁ ଲୋକମାନେ ଅଭିଯୋଗ କଲେ, ତାହା ଇରିଗେସନ ବିଭାଗର ଦାୟିତ୍ୱ କହି ନିଜ ଉପରୁ ଦୋଷ ଛଡାଇ ଦେଉଛି ପୂର୍ତ୍ତ ବିଭାଗ l ଜନ ସାଧାରଣ ଅଭିଯୋଗ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିବାରୁ ବାଧ୍ୟହୋଇ ଏହିଭଳି ଦୁର୍ଦ୍ଦଶା ଭୋଗ କରୁଛନ୍ତି l ଏ ରାସ୍ତାରେ ଦିନକୁ ହଜାର ହଜାର ଲୋକ ଗାଡି ମୋଟର ଧରି ଯା ଆସ କରୁଥିଲେ ମଧ୍ୟ ବିଭାଗ ତରଫରୁ ମରାମତି ଦିଗରେ ଧ୍ୟାନ ଦିଆ ଯାଉନଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି . ବାଣପୁରକୁ ଜନସାଧାରଣ ସବଡ଼ିଭିଜନ କରିବାକୁ ଦାବି କରି ଆସୁଥିବା ବେଳେ ବାଣପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥାକୁ ସହଜରେ ହଜମ କରି ପାରିନାହାନ୍ତି ଲୋକେ l ତେଣୁ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି l