ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବାଣପୁର ଝିଅ ସଂଗୀତା ସେଣ ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବାଣପୁର ଝିଅ । ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ଫଳ ପ୍ରକାଶ ପାଇଛି । ତେବେ ଉକ୍ତ ପରୀକ୍ଷାରେ ସାରା ଓଡ଼ିଶାରେ ୬୦ ର‍୍ୟାଙ୍କରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସଂଗୀତା ସେଣ । ବାଣପୁର ବ୍ଲକ ଭାପୁର ଗ୍ରାମର ଲକ୍ଷ୍ମୀଧର ସେଣ ଏବଂ ବିଳାସ ସେଣଙ୍କ କନ୍ୟା ଅଟନ୍ତି ସଂଗୀତା। ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଗୃହିଣୀ ଅଟନ୍ତି । ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ସଂଗୀତା । ସଂଗୀତା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସିଲ କରିଛନ୍ତି। ପିଲାଟି ଦିନରୁ ସଂଗୀତା ମେଧାବୀ ଛାତ୍ରୀ ହୋଇଥିବାବେଳେ ଦୀର୍ଘ ଚାରି ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତେବେ ଏହା ତାଙ୍କର ଦ୍ଵିତୀୟ ଚେଷ୍ଟା। ସେ ଓପିଏସ କ୍ୟାଡର ପାଇଁ ଆଶାବାଦୀ ଥିବା କହିଛନ୍ତି । ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଂଗୀତା। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ସଂଗୀତା । ତେବେ ଉକ୍ତ ଖବର ପ୍ରଚାରିତ ହେଵା ପରେ ସଂଗୀତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଅନୁରୂପ ଭାବେ ବାଣପୁର ବାସି ମଧ୍ୟ ମା’ ଭଗବତୀଙ୍କ ନିକଟରେ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି । ସଂଗୀତା ନିକଟରେ ବାଣପୁର ତହସିଲରେ କନିଷ୍ଠ ରାଜସ୍ୱ ସହାୟିକା ଭାବେ ପୋଷ୍ଟିଙ୍ଗ ପାଇଛନ୍ତି ଏବଂ ବର୍ତ୍ତମାନ ବାଣପୁର ତହସିଲରେ କାର୍ଯ୍ୟରତ ଅଛନ୍ତି। ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ ଏବଂ ଅନ୍ୟ ସମସ୍ତ କର୍ମଚାରୀମାନେ ସଂଗୀତାଙ୍କୁ ଏଥି ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *