ନିଖୋଜ ରାମଚନ୍ଦ୍ରଙ୍କ ଶବ ଜବତ : ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ସଦର ଥାନା ଅଧିନସ୍ଥ ମାର୍କଣ୍ଡପୁର ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୁ ଗତ ରବିବାର ଠାରୁ ସାଙ୍ଗ ଘରକୁ ଭୋଜି କରିବାକୁ ଯାଇ ବିଳମ୍ବିତ ରାତ୍ର ଯାଏ ଫେରି ନଥିଲେ । ତେବେ ପୁଅର ନିଖୋଜ ହୋଇଥିବା ନେଇ ରାମଚନ୍ଦ୍ରଙ୍କ ମାଆ ସାବିତ୍ରୀ ସାହୁ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ରାମଚନ୍ଦ୍ରଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବଡ଼ବାଗ ଗ୍ରାମର ଭୋଜି କରୁଥିବା ସାଙ୍ଗ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା ଓ ଅନ୍ୟ ଜଣେ ସାଙ୍ଗ ପର୍ଶୁରାମ ବେହେରାଙ୍କୁ ଅଟକ ରଖି ତଦନ୍ତ କରିବା ପରେ ତିନିଜଣ ଯାକ ସୁପରିକଳ୍ପିତ ଭାବେ ରାମଚନ୍ଦ୍ରଙ୍କୁ ଅତି ନୃଶଂସ ଭାବେ ହାତ ଗୋଡ଼ ମୁଣ୍ଡ ଅଲଗା କରି ମାଛଗାଁ କେନାଲରେ କାଟି ଫିଙ୍ଗି ଦେଇଥିବା କଥା ସ୍ୱୀକାର କରିଛନ୍ତି ।

ତେବେ ଆଜି ଘଟଣା ଘଟିଥିବା ସ୍ଥାନକୁ ଅଭିଯୁକ୍ତ ପର୍ଶୁରାମ ବେହେରାଙ୍କୁ ନେଇ କିପରି ହତ୍ୟାକାଣ୍ଡ କରାଯାଇ କେଉଁ ସ୍ଥାନରେ ପକାଇଥିଲେ ସେ ଦେଖାଇଥିଲା । ତେବେ ସମସ୍ତ ଅଭିଯୁକ୍ତ କେଶବ ବେହେରା, ରିନା ବେହେରା, ପର୍ଶୁରାମ ବେହେରା ରାମଚନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତେବେ ଏହି ଘଟଣା ନିଶା ବ୍ୟବସାୟ ଓ ପୂର୍ବ ଶତ୍ରୁତା କୁ ନେଇ ରାମଚନ୍ଦ୍ରଙ୍କୁ ସାଙ୍ଗମାନେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଜଗତସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି । ପରିବାର ଲୋକ ପୁଅର ମୃତ୍ୟୁ ରେ ଭାଙ୍ଗି ପଡିବା ସହିତ ହତ୍ୟାକାରୀଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *