ତପୋବନ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

0
251

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମହିମା ଧର୍ମର ଆଦ୍ୟପୀଠ ମହିମା ତପୋବନ ପୀଠସ୍ଥଳୀ , କାଦୁଆ ଠାରେ ମହିମା ଧର୍ମର ପ୍ରତିଷ୍ଠାତା ତଥା ପ୍ରବର୍ତ୍ତକ ଯୋଗେଶ୍ୱର ସ୍ୱାମୀଙ୍କର ଗୁରୁ ଶିଷ୍ୟ ମିଳନ ଦିବସ ତଥା ବାର୍ଷିକ ତପୋବନ ମେଳା ଆସନ୍ତା ନଭେମ୍ବର ୧୩ ତାରିଖ ଶନିବାର ଦିନ ପାଳିତ ହେବ । ଉକ୍ତ ଉତ୍ସବର ସୁପରିଚାଳନା ନିମନ୍ତେ ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସଦର ଉପ-ଜିଲ୍ଲାପାଳ ରବି ନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଡେପୁଟି କଲେକ୍ଟର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା , ମହିମା ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦ୍ୟୁମ୍ନ ରଥ , ସ୍ୱାସ୍ଥ୍ୟ ବିଭାଗ ଓ ଦେବୋତ୍ତର ବିଭାଗର ଅଧିକାରୀଙ୍କ ସମେତ ବାବା ରଘୁନାଥ ଦାସ , ବାବା କରୁଣାକର ଦାସ , ବାବା ସୁଶାନ୍ତ , ବାବା ଜ୍ଞାନୀ , ବାବା ନିବାରଣ ଦାସ ଓ ଅନ୍ୟ ବାବାମାନେ ଉପସ୍ଥିତ ରହି ମେଳା ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ୪୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଆୟୋଜନ ସମୟରେ କୋଭିଡ ନିୟମାବଳୀ ଅନୁପାଳନକୁ ଗୁରୁତ୍ୱ ଦିଆଯାଇ ସମସ୍ତ କାର୍ଯ୍ୟକ୍ରମ କରାଯିବ । ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ କୋଭିଡ ଟେଷ୍ଟିଙ୍ଗ ରିପୋର୍ଟ ସାଥିରେ ଆଣି ଆସିବେ, ଯେଉଁମାନେ ଟେଷ୍ଟିଙ୍ଗ ରିପୋର୍ଟ ଆଣି ନ ଥିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ମାସ୍କ ବ୍ୟବହାର , ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦିଆଯିବା ସହିତ ମେଳାରେ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ବାରଣ କରାଯିବ । ତପୋବନ ପୀଠ ରାସ୍ତାର ମରାମତି କରାଯାଇ ସୁଗମ୍ୟ କରାଯିବ । ମେଳା ଅବସରରେ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ କରାଯିବ । ପୀଠରେ ସୋଲାର ଲାଇଟର ବ୍ୟବସ୍ଥା କରିବାକୁ ବାବା ରଘୁନାଥ ଦାସ ଅନୁରୋଧ କରିଥିଲେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସମାବେଶକୁ ନିୟନ୍ତ୍ରଣ କରିବାକୁ ବୈଠକରେ ଆଲୋଚନା ହୋଇଅଛି ।

LEAVE A REPLY

Please enter your comment!
Please enter your name here