କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛିଦିନ ବ୍ୟବଧାନ ପରେ ବାଲିଗୁଡା ଥାନା ଅଞ୍ଚଳରେ ପୁଣି ସ୍ଥିତି ଜାହିର କଲେ ଲାଲ ବାହିନୀ । ବାଲିଗୁଡା ଥାନାର ବାରଖମା, ରେବିଙ୍ଗିଆ, ବାଟାଗୁଡା ଓ ମିଡିଆପଡାଙ୍ଗା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟର ମାରି ନିଜର ସ୍ଥିତି ଜାହିର କଲେ କେକେବିଏନ ମାଓ ସଂଗଠନ । ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ବମ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଞ୍ଜେଇ କାଟିବାକୁ ଆସୁଥିବା ପୋଲିସ କର୍ମଚାରୀ ଓ ବନ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପାଇଁ ଆହ୍ୱନ ଦେଇଛନ୍ତି । କୁମ୍ବିଙ୍ଗ ନାମରେ ଆସି ମା ଭଉଣି ମାନଙ୍କୁ ଅତ୍ୟାଚାର, ବଳାତ୍କାର ଭଳି ବିଭିନ୍ନ ହଇରାଣ ହରକତ କରୁଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି । ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଶେଷରେ ସିପିଆଇ (ମାଓବାଦୀ) କେକେବିଏନ ଡିଭିଜନ କମିଟି ପୋଷ୍ଟରରେ ଉଲ୍ଲେଖ ଅଛି । ଏହି ମାଓ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ବାଲିଗୁଡା ପୋଲିସ ତରଫରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।
ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର : ସ୍ଥିତି ଜାହିର କଲେ ଲାଲ ବାହିନୀ !!!

