ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆର ବୃହତ୍ତମ ଲୁଣି ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଡ଼ଲଫିନ ଗଣନା ଅନୁଷ୍ଠିତ ହେବ । ଆଜି ଠାରୁ ଆନୁଷ୍ଠାନିକ ଭାବେ ଡ଼ଲଫିନ ଗଣନା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ଡ଼ିଏଫଓ ଜ୍ୟୋତି କାଟାଲ ସୂଚନା ଦେଇଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ ଟି ରେଂଜ୍ ରେ ହେବ ଡଲଫିନ ଗଣନା । ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୩ ଟି ସେକ୍ଟରରେ ୧୮ ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ । ଏ ନେଇ ଆଜି ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନ୍ କାର୍ଯ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରି ରହିବ । ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏ ର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି ।