ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତହସିଲଦାର ଭାଙ୍ଗିଲେ ଅସହାୟ ବୃଦ୍ଧଙ୍କ ଘର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତହସିଲଦାରଙ୍କୁ ଗୁହାରୀ ଜଣେଇଲି । ଏଡିଏମ ସାରଙ୍କ ପାଖରେ ନେହୁରା ହେଲି । କେହି କିଛି ଶୁଣିଲେ ନାହିଁ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ମୋ ଘର ଭାଙ୍ଗିବା ଉପରେ ରହିତାଦେଶ ଜାରି କରିଥିଲେ ବି ତହସିଲଦାର ସାର ମାନ୍ୟବର କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଆକ୍ରୋଶଜନକ ଭାବରେ ଭାଙ୍ଗିଦେଲେ ମୋ ଘରକୁ । ମୋର କେହି ନାହାନ୍ତି । ନା ଅଛି ରହିବାକୁ ଜାଗା ଖଣ୍ଡିଏ, ନା ଦେଖିବାକୁ ସ୍ତ୍ରୀ, ପିଲା ଛୁଆ । ଦଇବ କେବଳ ସାହା । ଆଜକୁ ଦୀର୍ଘ ଦଶଦିନ ହେବ ବାରଦୁଆର ଶୁଣ୍ଢି ପିଣ୍ଢା ହୋଇ କଟୁଛି ଜୀବନ । ଶୀତର ପ୍ରକୋପ ବି ବଢିବାକୁ ଲାଗିଛି । ଗାଁ ଲୋକଙ୍କ ଦୟାରୁ କେତେବେଳେ କେମିତି ଓଳିଏ ଖାଉଛି ତ ନାହିଁ । ମଶାଣି କେବଳ ସାହା – ଲୁହ ଭରା ଆଖି ଏବଂ କୋହ ଭରା ମନରେ ଏକଥା କହିଛନ୍ତି ଅନିରୁଦ୍ଧ ମଲ୍ଲିକ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପାଳଦା ଅଞ୍ଚଳରେ । ଉକ୍ତ ଗ୍ରାମର ୮୫ ବର୍ଷର ବୃଦ୍ଧା ଅନିରୁଦ୍ଧ ଦାସ ଓରଫ ଅନିରୁଦ୍ଧ ମଲ୍ଲିକ ଦୀର୍ଘ ୫୦ ବର୍ଷ ଧରି ଏକ ଅନାବାଦୀ ଜମିରେ ଘର କରି ରହିଥିଲେ । ଉକ୍ତ ଜମିକୁ ପଡ଼ୋଶୀଙ୍କ ଦଖଲ ନିମନ୍ତେ ବିରୋଧ କରିବାରୁ ତାଙ୍କ ନାଁରେ ଦଶରଥପୁର ତହସିଲଦାରଙ୍କ ଠାରୁ ଆସିଥିଲା ଉଚ୍ଛେଦ ପରୱାନା । ଏ ସମ୍ପର୍କରେ ଅନିରୁଦ୍ଧ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆପତ୍ତି ଓ ଅଭିଯୋଗ କରିଥିଲେ । ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଦଶରଥପୁର ତହସିଲଦାରଙ୍କୁ ଉଚ୍ଛେଦ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର ଏହାକୁ ଅବମାନନା କରି ଗତ ଜାନୁଆରୀ ଏକ ତାରିଖରେ ଭାଙ୍ଗିଦେଲେ ବୃଦ୍ଧଙ୍କ ଘର । ସେପଟେ ବେସାହାରାକୁ ଥଇଥାନ ନିମନ୍ତେ ସରକାରଙ୍କର ଜାଗା ମିଶନ, ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ଭଳି ଅନେକ ଯୋଜନା ଏହି ବୃଦ୍ଧଙ୍କ ଜୀବନ ଯାତ୍ରାକୁ ଉପହାସ କରୁଥିବା ବେଳେ, ଏହି ବେସାହାରା ଅନିରୁଦ୍ଧଙ୍କୁ ସରକାରୀ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ମାନେ ।

Leave a Reply

Your email address will not be published. Required fields are marked *