ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଘଟିଛି ଅଭାବନୀୟ ଘଟଣା । ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇ ପଡିଛନ୍ତି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନରମାନବୀ ଗ୍ରାମର ଚାଷୀ ଗୋପାଳ ଚନ୍ଦ୍ର ରାଉତ (୫୦) ଘରେ ଶୋଇଥିଲେ । ତେବେ ଘର ଦୁଆରେ ବନ୍ଧା ଯାଇଥିବା ଗାଇ ଗୁଡିକ ରଡି ପକାଇବରୁ ଘଟଣା କଣ ଦେଖିବାକୁ ଗୋପାଳ ନିଦରୁ ଉଠି ଘର ବାହାରକୁ ଆସିଥିଲେ । କିନ୍ତୁ ସେ ଦୂଆରେ ଛିଡା ହୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା । ତାଙ୍କର ଚିତ୍କାର ଶୁଣି ପଡୋଶୀ ଲୋକେ ହାତୀକୁ ଘଉଡାଇ ଦେଇଥିଲେ । ଅତି ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗୋପାଳଙ୍କୁ ଭୁବନେଶ୍ୱର ଏମସ୍ କୁ ସ୍ଥାନାନ୍ତର କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, କିଛି ମାସ ହେଲା ଟାଙ୍ଗୀ ରେଂଜ୍ ର ବିଭିନ୍ନ ସ୍ଥାନରେ ୩୨ ଟିକିଆ ହାତୀ ପଲ ଆତଙ୍କ ରାଜ ସୃଷ୍ଟି କରିଛନ୍ତି । ହାତୀ ମାନଙ୍କ ଆକ୍ରମଣରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଟ୍ରେନ ଧକ୍କାରେ ୨ ଟି ହାତୀ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ତେବେ ଟାଙ୍ଗୀ ବନ ବିଭାଗ ଗତ କିଛି ଦିନ ତଳେ ସମସ୍ତ ହାତୀ ଗୁଡିକୁ ପଟିଆ ଜଙ୍ଗଲକୁ ଘଉଡାଇଵାରେ ସଫଳ ହୋଇଥିବା ବେଳେ ୪ ରୁ ୫ ଟି ଗୋଠ ଛଡା ଦନ୍ତା ହାତୀ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛନ୍ତି । ତେଣୁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ଟାଙ୍ଗୀରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର !!!

