ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଶତାଧିକ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନ ଥିବାରୁ ଏହିସବୁ ୱାର୍ଡ଼ରେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ଗୁରୁବାର ପଞ୍ଚାୟତ ଓ ୱାର୍ଡ଼ରେ ନୋଟିସ ଜାରି ହୋଇଥିବା ବେଳେ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ପ୍ରକାଶ ଯେ, ଚଳିତ ନିର୍ବାଚନରେ ଏକ ମାତ୍ର ସରପଞ୍ଚ ପ୍ରାର୍ଥୀ ଭାବେ କଣିହାଁ ବ୍ଲକ୍ ଡେରେଙ୍ଗ ପଞ୍ଚାୟତର ସଂଯୁକ୍ତା ବେହେରା ଅପ୍ରତିଦ୍ଵନ୍ଦୀ ଅଛନ୍ତି । ସେହିପରି ଜିଲ୍ଲାରୁ ୪ ଜଣ ସମିତି ସଭ୍ୟ ଏବଂ ୯୫୫ ଜଣ ୱାର୍ଡ଼ସଭ୍ୟ ଅପ୍ରତିଦ୍ଵନ୍ଦୀ ରହିଛନ୍ତି । ଅନୁଗୁଳ ଜିଲ୍ଲାର ୮ଟି ଯାକ ବ୍ଳକ୍ରୁ ମୋଟ୍ ୧୮୩ ଟି ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଳକ୍ର ୧୭ଟି ୱାର୍ଡ଼, ତାଳଚେରର ୩୯, କିଶୋରନଗରର ୧୬, ଆଠମଲ୍ଲିକର ୨୧, ଅନୁଗୁଳର ୧୫, ବଅଁରପାଳର ୧୯, ପାଲଳହଡ଼ାର ୩୪ ଓ କଣିହାଁ ବ୍ଳକ୍ର ୨୨ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନାହାନ୍ତି । ଉକ୍ତ ୱାର୍ଡ ଗୁଡିକ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୪ ତାରିଖ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ଶତାଧିକ ୱାର୍ଡ ପ୍ରାର୍ଥୀଶୂନ୍ୟ : ସାନି ବିଜ୍ଞପ୍ତି ଜାରି !!!

