ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ ଗିରଫ କରିଛି । ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି କହିଛନ୍ତି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଥିବା ବେଳେ ଏବଂ ଖୁବ ଶୀଘ୍ର ସେମାନେ ଗିରଫ ହେବେ ବୋଲି ଏସପି ପ୍ରକାଶ କରିଛନ୍ତି । ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ବାଣପୁର ଥାନା ପରିସରରେ ଏତଲା ଦେବାକୁ ଆସିଥିବା ତିନି ଜଣ ଅଭିଯୋଗକାରୀଙ୍କୁ ରାଜନୈତିକ ଦଳର କର୍ମୀମାନେ ମରଣାନ୍ତକ ଆକ୍ରମଣ କରୁଥିଲେ । ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତି ଏହାର ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ଜିଲ୍ଲା ପୋଲିସ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇଥିବା ବେଳେ ଏସପିଙ୍କ ତତ୍ୱାବଧାନରେ ସ୍ପେଶାଲ ଟିମ ଗଠନ କରାଯାଇ ବିଭିନ୍ନ ଚଢ଼ାଉ ଜାରି ରହିଛି ।
ବାଣପୁରରେ ସାମ୍ବାଦିକ ଙ୍କୁ ଆକ୍ରମଣ ପଡିଲା ମହଙ୍ଗା : ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ପଞ୍ଜାରେ !!!

