ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଅଭିଯୋଗ ଆଣି ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢ଼ୀଙ୍କ କାର୍ଯ୍ୟ କଳାପ ବିରୁଦ୍ଧରେ ଓଡ଼ିଶା ଡ୍ରାଇଭର ମହାସଂଘ ଧାରଣାକୁ ଓହ୍ଲାଇଛି । ଗତ ଚାରି ଦିନ ତଳେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବେଆଇନ ବାଲି ଚାଲାଣ ଗାଡ଼ି ଚେକିଙ୍ଗ ଚାଲିଥିବା ବେଳେ ଡ୍ରାଇଭର ବିଜୟ ଦାସ ନେଇ ଆସୁଥିବା ବାଲିଗାଡ଼ି ସହ ଅନ୍ୟ ସବୁ ବାଲିଗାଡି ଗୁଡିକୁ ଅଟକାଇ ଥିଲେ । ଅତିରିକ୍ତ ତହସିଲଦାରଙ୍କ ସହ ନିୟୋଜିତ ଥିବା ଅନ୍ୟ କର୍ମଚାରୀ ମାନେ ଉକ୍ତ ଡ୍ରାଇଭର ବିଜୟ ଦାସ ଓ ହେଲପରଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଗାଡ଼ିର କାଗଜପତ୍ର , ଡ୍ରାଇଭରର ମୋବାଇଲ ଏବଂ ପଇସାପତ୍ର ନେଇ ଯାଇଥିଲେ । ଏପଟେ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଡ଼୍ରାଇଭରଙ୍କ ମୋବାଇଲ ଓ ଟଙ୍କା ଫେରସ୍ତ କରୁ ନାହାନ୍ତି ଅତିରିକ୍ତ ତହସିଲଦାର । ଏହା ବିରୁଦ୍ଧରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ନିଶ୍ଚିନ୍ତକୋଇଲି ଥାନା କର୍ମଚାରୀ ଧାରଣାରେ ବସିଥିବା ଡ୍ରାଇଭର ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ।