ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦରଦୀ ପଶୁ ପ୍ରେମୀ ଗାୟତ୍ରୀ ବେହେରା . ସାଂପ୍ରତିକ ପରିସ୍ଥିତିରେ ମଣିଷ ମାନେ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ବେଳେ , ଆମ ଭିତରେ ମଣିଷ ପଣିଆ କିନ୍ତୁ ହଜି ଯାଉଛି । ମଣିଷ ମଣିଷ ଭିତରେ ହିଂସା , ପରଶ୍ରୀକାତରତା ବଢ଼ି ଚାଲିଥିବା ବେଳେ ମାନବିକତାର ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ସିଙ୍ଗାରପଲ୍ଲୀ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ପାଖରେ । ସ୍ଥାନୀୟ ସେନ୍ତେରୀ ଗ୍ରାମରେ କେହି ଜଣେ ଦୁର୍ବୁତ୍ତ ଗୋଟିଏ ବୁଲା ଷଣ୍ଢକୁ ଆକ୍ରମଣ କରି ମାରଣାସ୍ତ୍ର ସାହାଯ୍ୟରେ ଗୋଟିଏ ଗୋଡ଼କୁ ହାଣି ଦେଇଥିଲା । ଆକ୍ରମଣରେ ଷଣ୍ଢଟିର ଗୋଡ଼ଟି ପ୍ରାୟତଃ ଛିଡି ଯାଇଥିଲା । ଖବରପାଇ ସିଙ୍ଗାରପଲ୍ଲୀ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ଗାୟତ୍ରୀ ବେହେରା ଏବଂ ତାଙ୍କର ସ୍ଵାମୀ ସମାଜସେବୀ ବିଭୂତି ଭୂଷଣ ବେହେରା ମିଶି କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଆହତ ଷଣ୍ଢଟିକୁ ଉଦ୍ଧାର କରି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟକୁ ନେଇ ଯାଇଥିଲେ । ସେଠାରେ ଅସ୍ଥିଶଲ୍ୟ ବିଭାଗରେ ଉପଯୁକ୍ତ ଚିକିତ୍ସା କରିବା ସହ ଭୁବନେଶ୍ବରର ଏକ ଗୋଶାଳାରେ ଷଣ୍ଢଟିକୁ ରଖି ତାର ଉପଯୁକ୍ତ ଯତ୍ନ ନେଉଛନ୍ତି । ପ୍ରାପ୍ତ ଖବର ଅନୁସାରେ ଧୀରେ ଧୀରେ ଷଣ୍ଢଟି ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରପଞ୍ଚ ତାର ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରପଞ୍ଚ ଦାୟିତ୍ୱ ନେବା ପରେ ଶ୍ରୀମତି ବେହେରା ଏବଂ ତାଙ୍କର ସମାଜସେବୀ ସ୍ଵାମୀ ଯେଉଁ ମହନୀୟତା ଦେଖାଇଛନ୍ତି , ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଷଣ୍ଢ ସୁସ୍ଥ ହୋଇ ଗ୍ରାମକୁ ଫେରିଲେ ସରପଞ୍ଚଙ୍କୁ ସମ୍ଵର୍ଦ୍ଧନା ଦିଆଯିବ ବୋଲି ଗ୍ରାମବାସୀ ଜଣାଇଛନ୍ତି ।
ଦରଦୀ ପଶୁପ୍ରେମୀ ସରପଞ୍ଚ ଗାୟତ୍ରୀ ବେହେରା !!!

