ଜଳୁଛି ମାଳ ମାଳ ଇଟାଭାଟି : ପ୍ରଚଣ୍ଡ ତାପମାତ୍ରା ସାଙ୍ଗକୁ , ପ୍ରଦୂଷଣରେ ହନ୍ତସନ୍ତ ଗଜପତି ବାସିନ୍ଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଅଧିନରେ ଥିବା ରାସ୍ତା କଡରେ ଥିବା ଚାଷ ଜମିରେ କିଛି ଦିନ ହେଲା ଇଟା ଭାଟି ମାଲିକ ମାନଙ୍କ ରାଜ୍ ଚାଲିଥିବା ବେଳେ ଏଠାରେ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହା କି ଗଜପତି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଖରା ଗରମ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଜିଲ୍ଲାରେ ବେଆଇନ ଇଟାଭାଟି ପୋଡ଼ି ଅଞ୍ଚଳରେ ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଇଟାଭାଟି ପୋଡିବା ଯୋଗୁଁ ସେଥିରୁ ନିର୍ଗତ ନିଆଁ ଝାସ ଓ ଧୂଳି ଧୂଆଁ ଯୋଗୁଁ ଜିଲ୍ଲାର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ବେଆଇନ ଇଟାଭାଟି ପୋଡି ଚାଲିଥିବା ବେଳେ ଏ ଦିଗରେ ପ୍ରଶାସନ ସବୁଜାଣି ଶୁଣି ନିରବ ଦ୍ରଷ୍ଟା ସାଜି ଥିବା ଅଭିଯୋଗ ଆସୁଛି । ଜିଲ୍ଲା ରେ କେତେ ବେଆଇନ ଇଟାଭାଟି ରହିଛି ତାହା ଉପରେ ପ୍ରଶାସନ ପାଖରେ କୌଣସି ତଥ୍ୟ ନାହିଁ । କିନ୍ତୁ ବେଆଇନ ଇଟାଭାଟି ବାବଦକୁ ଜିଲ୍ଲା ପ୍ରଶାସନ 14 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଜିଲ୍ଲାରେ ହୁ ହୁ ହୋଇ ବେଆଇନ ଇଟାଭାଟି ଗଢି ଉଠୁଛି । ହେଲେ ଇଟା ମାଫିଆଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହେବା ଦେଖିବାକୁ ମିଳିଛି । ଫଳରେ ରାଜ୍ୟରେ ତାପମାତ୍ରା ବଢିବା ସାଙ୍ଗକୁ ପ୍ରଦୂଷଣର ତାପମାତ୍ରା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି କେବଳ ପାରଳାଖେମୁଣ୍ଡି ସହର ନୁହେଁ ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହି ଭଳି ଶହ ଶହ ଇଟାଭାଟି ଗଢି ଉଠିଛି । ଏହାର ପରିଣାମ ଭୋଗୁଛନ୍ତି ସେଠାକାର ଅଞ୍ଚଳ ବାସିନ୍ଦା । ଦଶ ବର୍ଷ ପୂର୍ବେ ନୂଆଗଡ଼, ଆର ଉଦୟଗିରି ଏବଂ ମୋହନା ବ୍ଳକ ରେ ଖରା ଦିନେ ଲୋକେ ଆରାମ ରେ ରହୁଥିଲେ । ଖରାର ପ୍ରଭାବ ସେମାନେ ଏତେଟା ଜାଣିବାକୁ ପାଉନଥିଲେ । କିନ୍ତୁ ଜଙ୍ଗଲ କ୍ଷୟ ସହ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏଠାରେ ଶୀତ ଦିନରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଦାୟିତ୍ୱ ହୀନତା ଯୋଗୁଁ ଏହି ପ୍ରକାର ସ୍ଥିତି ଉପୁଜିଥିବା କଥା ଗଜପତି ଜିଲ୍ଲା ବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *