ଗଜପତି ଜିଲ୍ଲା ର ୪୭ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୭ତମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାରେ ବିଭିନ୍ନ ଉନ୍ନତି ମୂଳକ କାମକୁ ନେଇ ଏହି ବୈଠକରେ ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ, ମୋହନା ବିଧାୟକଶ୍ରୀ ଦାଶରଥୀ ଗମାଙ୍ଗ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷାଶ୍ରୀମତୀ କୁନ୍ତଳା ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନର ଉନ୍ନତି ମୂଳକ କାମ ଉପରେ ଦୃଷ୍ଟିପାତ କରିଥିଲେ । ବୈଠକ ପ୍ରାରମ୍ଭରେ ସାଂସଦ ଶ୍ରୀ ସାହୁ ସମସ୍ତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବୈଠକରେ ପୂର୍ବ ବୈଠକର ବିବରଣୀର ଆଲୋଚନା ଓ ଦୃଢିକରଣ, ସ୍ଥାୟୀ କମିଟି ବୈଠକ ବିବରଣୀର ଦୃଢିକରଣ, ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ତତ୍ ସମ୍ପର୍କୀୟ ପ୍ରଶ୍ନ କରାଯାଇଥିଲା ।

ଏହା ସହ ବାର୍ଷିକ ଯୋଜନା ଅନୁମୋଦନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନ, ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଜଳଛାୟା, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ, ଶିକ୍ଷା, ଶ୍ରମ, ପଶୁସମ୍ପଦ, ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡି, ବିଦ୍ୟୁତ, ସମାଜ କଲ୍ୟାଣ ଓ ମହିଳା ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ଆଦି ଉପରେ ଆଲୋଚନା କରାଯାଇଥିଲା । ସାଂସଦ ଶ୍ରୀସାହୁ ଗଜପତି ଜିଲ୍ଲା ଆକାଂକ୍ଷାରେ ପରିଗଣିତ ହେଉଥିବା ତଥା ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *