କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ୯୦ ତମ ଜୟନ୍ତୀ ପ୍ରହରାଜ ପ୍ରତିଭା ପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀଯୁକ୍ତ ପ୍ରହରାଜଙ୍କ ଶହୀଦ ନଗର, ଭୁବନେଶ୍ଵର ବାସଭବନରେ ପାଳନ କରାଯାଇଛି । ପରିଷଦ ତରଫରୁ ବର୍ଷୀୟାନ୍ ସାରସ୍ଵତ ସାଧକ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମିଷ୍ଟାନ୍ନ ଖୁଆଇ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ପରିଷଦର ସଭାପତି ପ୍ରତାପ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ସାହିତ୍ୟ ସାଧନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆରୋହଣ, ଭୁବନେଶ୍ୱରର ବରିଷ୍ଠ ସଭ୍ୟ ଆଲୋକ କୁମାର ବେହୁରା ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଦୁଇ ଥର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ଅତିବଡ଼ି ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର ତଥା ସର୍ବଭାରତୀୟ ସ୍ତରୀୟ ଜାତୀୟ ପୁରସ୍କାର ପାଇଥିବା ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବିଶିଷ୍ଟ ସାହିତ୍ୟିକା ନିରୁପମା ଆଚାର୍ଯ୍ୟ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ମଧୂସୁଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ ଆଦି ମନିଷୀ ମାନେ ଯେଭଳି ଜୀବନ ବ୍ୟାପି ସାଧନା କରିଥିଲେ, ସେଭଳି ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି । ପରିଶେଷରେ ଅରୁଣ ନନ୍ଦ ଫାଉଣ୍ଡେସନର ଅଧ୍ୟକ୍ଷ କରୁଣାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ୯୦ ତମ ଜୟନ୍ତୀ ପାଳିତ !!!

