ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଗତକାଲି ଭଉଁରିରେ ଶେଷ ହୋଇଛି । ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରି ଶକ୍ତି କ୍ଷେତ୍ର ବାଣପୁରରେ ମା’ଭଗବତୀଙ୍କ ଯାତ୍ରା ପରମ୍ପରା ମଧ୍ୟରୁ ଚନ୍ଦନ ଯାତ୍ରା ଅନନ୍ୟ । ଚନ୍ଦନ ଯାତ୍ରାର ଶେଷ ତିନିଦିନ ମା’ ସାଥିରେ ଚନ୍ଦ୍ରଶେଖର ଦେବ, ଗୋପୀନାଥ ଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବାଣପୁର ନିକଟ ଗୋପାଳପୁର ଶାସନ ମାଜଣା ପୋଖରୀକୁ ବାଣ ରୋଷଣୀ, ଥାଟ ପଟୁଆରରେ ଯାତ୍ରା କଲାବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ଵନୀ ସହ ଚାପକୁ ବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ଗୋପାଳପୁର ଶାସନ ବିଜେ ବାବା ବାଲୁଙ୍କେଶ୍ଵର ଦେବ, ବାବା କପିଳେଶ୍ଵର ଦେବ, ବାବା ନୀଳକଣ୍ଠେଶ୍ଵର ଦେବ, ମା’କନକ ଦୁର୍ଗା ଓ ଶ୍ରୀଗୋପୀନାଥ ଦେବଙ୍କ ସ୍ଵାଗତ ପରେ ମା’ ଭଗବତୀ ମାଜଣା ଚକଡାରେ ବିଜେ କଲା ପରେ ଶୀତଳ ମଣୋହୀ ଲାଗି ହୋଇଥିଲା । ଆଳତୀ ବନ୍ଦାପନା ପରେ ମା’ ଚାପରେ ବିଜେ କରିଥିଲେ । ଏକୋଇଶି ଥର ଜଳକ୍ରୀଡାରେ ମାଜଣା ପୋଖରୀ ପରିକ୍ରମା କଲାପରେ ମା’ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ପନ୍ତିଭୋଗ ଲାଗି ହେଲା ପରେ ମା’ ଜଳ ସ୍ପର୍ଶ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଅପୂର୍ବ ଚାପ ଯାତ୍ରା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ । ଏହି ଉପଲକ୍ଷେ ଗୋପାଳପୁର ଶାସନରେ ରାତିସାରା ଭଜନ ସମାରୋହ, ରାମ ନାଟକ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଚନ୍ଦନଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥିଲା । ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଓ ଗୋପାଳପୁର ଶାସନ ଗ୍ରାମବାସୀ ମିଳିତ ଭାବରେ ଏହାକୁ ପରିଚାଳନା କରିଥିଲେ ।