ପାଦ ରୁ ଅଳତା ନ ଲିଭୁଣୁ ନବବଧୁ କୁ ହତ୍ୟା ଅଭିଯୋଗ : ସ୍ଵାମୀ ଅଟକ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି । ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଶୁଣା ଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳାଯୋଡି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳା ଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ । ମାତ୍ର କିଛି ଦିନ ପରେ ପିଙ୍କି ଙ୍କ ଉପରେ ସ୍ୱାମୀ ଦୀପକ ବେହେରା ଅତ୍ୟାଚାର ଆରମ୍ଭ କରିଥିବା ଅଭିଯୋଗ ହେଉଥିଲା । ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିଲା । ଗତ କାଲି ରାତିରେ ନବ ବଧୁର ମୃତ ଦେହ ଶୋଇବା ଘରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏ ନେଇ ମୃତକଙ୍କ ଭାଉଜ ଟାଙ୍ଗୀ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ପରେ ସ୍ୱାମୀ ଦୀପକ ବେହେରାଙ୍କୁ ପୋଲିସ ଅଟକ ରଖିଛି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସ୍ୱାମୀ ଦୀପକ କୌଣସି କାମ ଧନ୍ଦା ନକରି ଗାଁ ରେ ଜୁଆ ଖେଳି ଆସୁଥିଲା । ଫଳରେ ସ୍ତ୍ରୀ ର ଜିନିଷ ପତ୍ର ବିକା ଭଙ୍ଗା କରି ଖର୍ଚ୍ଚ କରୁଥିଲେ । ତେଣୁ ପରିଵାର ଭିତରେ ସଦା ସର୍ବଦା ଝଗଡା ଲାଗି ରହୁଥିଲା । ଗତ ୩ ଦିନ ତଳେ ଘରୁ ଏକ ମୋବାଇଲ ଫୋନ୍ ବନ୍ଧା ପକାଇବାକୁ କେନ୍ଦ୍ର କରି ଘରେ ତୁମୁଳ କାଣ୍ଡ ଲାଗିଥିବାର ଶୁଣିବାକୁ ମିଳିଥିଲା । ତେଣୁ ଏହି କାରଣରୁ ଗତ କାଲି ଏଭଳି ଅଘଟଣ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତେଣୁ ପୋଲିସ୍ ର ଅନୁସନ୍ଧାନ ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *