ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ଜନୈକ ନାବାଳିକା ଗତ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ହେଲା ଅପହରଣ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏଯାବତ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନାବାଳିକାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଏ ନେଇ ନାବାଳିକଙ୍କ ପରିବାର ପକ୍ଷରୁ ମାର୍ଚ୍ଚ ୩୦ ତାରିଖ ଦିନ ବାଣପୁର ଥାନାରେ ଏକ ଏତଲା ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବାଲୁଗାଁ ଏସଡିପିଓଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ କିଛି ସୁଫଳ ନମିଳିବାରୁ ପରିବାର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ମଇ ୨ ତାରିଖରେ ମାନବାଧିକାର କମିଶନ କେଶ ନମ୍ବର ୫୮୪ / ୨୨ ରେ ଏକ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଏସପିଙ୍କୁ ଉକ୍ତ ଘଟଣାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ପରିବାର ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ବାବଦରେ ସିଆରଏଲପି କେଶ ନମ୍ବର ୬୫୪ / ୨୨ ରେ ଏକ ମାମଲା ରୁଜୁ କରିଥିଲେ । ଗତ ମଇ ୨୦ ତାରିଖ ଦିନ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାକୁ ୨୮ ଦିନ ଭିତରେ ସମାଧାନ କରିବାକୁ ଖୋର୍ଦ୍ଧା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଅଦ୍ୟାବଧି ପୋଲିସ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିଶୃତି ମିଳି ପାରିନାହିଁ ।