ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତିବର୍ଷ କାଙ୍କଣ ଶିଖରୀରେ ନିଆରା ଢ଼ଙ୍ଗରେ ମହାପ୍ରଭୁଙ୍କର ରଥଯାତ୍ରା ପାଳନ ହୋଇଥାଏ । ଚିଲିକା ହ୍ରଦର ଅଥଳ ଜଳରାଶିରେ ନୌକା ରଥରେ ଯାତ୍ରା କରନ୍ତି ମହାପ୍ରଭୁ । ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଡଙ୍ଗାରେ ବିରାଜମାନ ହୋଇ ତିନି ଠାକୁର ଯାତ୍ରା କରନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବଡ଼ଦାଣ୍ଡରୁ ଶରଧାବାଲି ଯାଉଥିବା ବେଳେ କାଙ୍କଣ ଶିଖରୀରୁ ବାହାରି ତିନି ଠାକୁର ଜଳ ଭିତରେ ନୌକା ରଥରେ ବିରାଜମାନ ହୋଇ ବିହାର କରି ପୁଣି ସେଠାକୁ ଫେରି ଆସନ୍ତି ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନନଈରି ଗ୍ରାମ ନିକଟସ୍ଥ ଚିଲିକା ହ୍ରଦର ଜଳରାଶି ମଧ୍ୟରେ ଏକ ଟାପୁ ରହିଛି, ଯାହାର ନାମ କାଙ୍କଣ ଶିଖରୀ । ଏହି ନାମଟି ଆଜି ଓଡ଼ିଶାର ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେବାକୁ ଯାଉଛି । ଯାହା ଏକ ପବିତ୍ର ଓ ଆଧ୍ୟାତ୍ମିକ ସ୍ଥଳୀ । ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ । ମୋଗଲ ନାଏବ ନଜିମ୍ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲା ସେତେବେଳେ ଦଇତାପତି ମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତି ପରେ ଚିଲିକାରେ ଜଳରାଶିରେ ନଈରୀ ନିକଟ ଏକ କୁଦରେ ଆଣି ରଖିଥିଲେ । ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ ଭୋଗ ଲାଗି ପାଇଁ କୌଣସି ସୁବିଧା ନଥିଲା ।।ଟାପୁଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ ଥିଲା । କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ମିଳି ନଥିଲା । ତେଣୁ ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ କାଙ୍କଣ ଭୋଗ ଲାଗି ହେଉଥିଲା । ପରେ ପରେ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ନିଆଯାଇଥିଲା ।
ସେହି ଦିନଠାରୁ କାଙ୍କଣ ଏହି ସ୍ଥାନରୁ ଜଗନ୍ନାଥ ମନ୍ଦିରକୁ ନିଆଯାଏ ଓ ଭୋଗ କରାଯାଇଥାଏ । ଏଥିପାଇଁ ଏକ ସ୍ୱତନ୍ତ୍ର ପରିବାରକୁ ନିଯୋଗ କରାଯାଇଛି । ପର ମୁହୂର୍ତ୍ତରେ ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ୱପ୍ନାଦେଶ ହେଲା ଏବଂ ଜଗନ୍ନାଥଙ୍କ ନିକଟରୁ ଏକ ରଥ ଚକ ଆଣି ଏଠାରେ ପୂଜାର୍ଚ୍ଚନା କରାଯାଉଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରା ଯାଉଅଛି । ଗଜପତି ମହାରାଜା ମଧ୍ୟ୍ୟ ଏ ସ୍ଥାନକୁ ଆସିଛନ୍ତି । ଉକ୍ତ ସ୍ଥାନଟି କାଙ୍କଣ ଶିଖରୀ ନାମରେ ପରିଚିତ । ଜଗନ୍ନାଥଙ୍କ ପ୍ରତ୍ୟେକ ରୀତିନୀତି କରାଯାଏ । ରାଜ୍ୟରୁ ରାଜ୍ୟ ବାହାରୁ ବହୁ ଭକ୍ତ ଆସି ଦର୍ଶନ କରି ଯାଆନ୍ତି । ଟାପୁ ଚତୁଃପାର୍ଶ୍ଵରେ ସବୁଜ ଜଙ୍ଗଲ । ଏହା ମଧ୍ୟରେ ପ୍ରଭୁ ଜଗନ୍ନାଥ । ଏହି ସ୍ଥାନଟି କାଙ୍କଣ ଶିଖରୀ ନାମରେ ନାମିତ, ଯାହା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ।