ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ । ସବଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ । କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବ ସମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତ ମେ ୨୦ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଧାୟକଙ୍କ ଓକିଲ । ଯାହାକି ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଅନୁଯାୟୀ, ଚିଲିକା ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ ଅଟେ । ଏହା ସହିତ ସେ ୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ କୌଣସି ସଭା ସମିତି ଅଥବା ରାଜନୈତିକ ରାଲି କରିପାରିବେ ନାହିଁ ।
ବାଣପୁର ସବ ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

