ଜଙ୍ଗଲ ସୁରକ୍ଷା ନାମରେ ପୁରା ଜଙ୍ଗଲକୁ ବରବାଦ କରୁଛି ବନ ବିଭାଗ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଓଡ଼ଗାଁ ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ନାମରେ ପୁରା ଜଙ୍ଗଲକୁ ବରବାଦ କରୁଛି ବନ ବିଭାଗ । ରକ୍ଷକ ଏଠି ଭକ୍ଷକ ସାଜିଛି । ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାକୁ ହରିଲୁଟ କରୁଛନ୍ତି ବନ ବିଭାଗ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଅଛି ନୟାଗଡ଼ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବନାଞ୍ଚଳରେ । ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ବନ୍ୟଜନ୍ତୁ ମାନଙ୍କ ପାଇଁ ପୁଷ୍କରିଣୀ ଓ ଚେକଡ୍ୟାମ ନିର୍ମାଣ ନାମରେ ଜଙ୍ଗଲ ମାଫିଆଙ୍କ ସହ ମିଶି ଜଙ୍ଗଲ ସଫା କରି , ବନ ବିଭାଗ କିଛି ଲୋକଙ୍କ ନାମରେ ଲୋକ ଦେଖାଣିଆ କେସ କାଟି ନିରବ ରହିଛି . ରାସ୍ତା କଡ଼ରେ ବୃକ୍ଷ ରୋପଣ ଆଳରେ ବନ ବିଭାଗ କର୍ମଚାରୀ ୨୦ କୋଟିରୁ ଉର୍ଦ୍ଧ୍ବ ମହା ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଓଡ଼ଗାଁ ଅଞ୍ଚଳବାସୀ । ଅଭିଯୋଗ ଅନୁଯାୟୀ ନିମ୍ନମାନର କାର୍ଯ୍ୟ ସହିତ କିଛି ଜାଗାରେ ବୃକ୍ଷ ରୋପଣ କରି ସରକାରୀ ଅର୍ଥକୁ ହରିଲୁଟ କରିଥିବା କହିଛନ୍ତି । ବିଶେଷ କରି ୨୦୨୧ – ୨୨ ଆର୍ଥିକ ବର୍ଷରେ ୧୩ କୋଟି ୮୮ ଲକ୍ଷ ଏବଂ ୨୦୨୨ – ୨୩ ଆର୍ଥିକ ବର୍ଷରେ ୬ କୋଟି ୧୮ ଲକ୍ଷଟଙ୍କା ଖର୍ଚ୍ଚ କେବଳ କାଗଜ କଲମରେ ଦେଖାଇ ମିଳିମିଶି ସରକାରୀ ତହବିଲରୁ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ କାମ ସରିବାର ଏକ ମାସ ନପୁରୁଣୁ ପ୍ରକଳ୍ପ ମାଟିରେ ମିଶୁଛି । ଏଭଳି ମହାଦୁର୍ନୀତି ଜଣା ପଡିବା ପରେ ମାମଲାକୁ ରଫାଦଫା କରିବା ପାଇଁ ଲୋକଙ୍କୁ ଧମକ ଚମକ ଦେଇ ଭୟଭୀତ କରୁଛନ୍ତି ବନ ବିଭାଗ ଅଧିକାରୀ । ପୂର୍ବରୁ ମଧ୍ୟ ବନବିଭାଗର ଚେକଡ୍ୟାମ ନିର୍ମାଣରେ ଅନିୟମିତତା ସମ୍ପର୍କରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ବଡ଼ ଅଧିକାରୀଙ୍କୁ ହାତ କରି ଫାଇଲକୁ ଚପାଇ ଦିଆଯାଇଛି । ଯଦି ଏଭଳି ମହାଦୁର୍ନୀତି ସମ୍ପର୍କରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *