ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜର କୃତକର୍ମ ପାଇଁ କ୍ଷମା ମାଗିଲେ ବିଜେଡି ରୁ ନିଲମ୍ବିତ ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଦଳର ସଭାପତିଙ୍କୁ ଲେଖିଲେ ଚିଠି ! ନିଜର ଆକ୍ରମଣାତ୍ମକ କାର୍ଯ୍ୟକଳାପ ସେ ଦୁଃଖିତ ବୋଲି ଲେଖି , ତାଙ୍କୁ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଏହି କଥା ନିଜେ କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ତାଙ୍କୁ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା । ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲେ ।
ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ସେ ଚିଲିକା ବ୍ଲକକୁ ଯିବେ ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ । ସେଠାରେ ପହଁଞ୍ଚିବା ମାତ୍ରେ ତାଙ୍କ ଉପରକୁ ଆକ୍ରମଣ କଲେ । ଦଳୀୟ ପତାକା ଲାଗିଥିବା ଠେଙ୍ଗାରେ ସେମାନେ ତାଙ୍କୁ ପିଟିଲେ । ଯାହା ସାରା ଓଡିଶା ଦେଖିଛି । ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ତାଙ୍କର ଗୋଡ ଖସିଗଲା । ଫଳରେ ଗାଡି ଆଗକୁ ଗଡିଗଲା । ମିଡିଆରେ ଯାହା କୁହାଯାଉଛି ଯେ , ସେ ଲୋକଙ୍କ ଉପରକୁ ଗାଡି ମଡାଇ ଦେଲେ ତାହା ସଂପୂର୍ଣ୍ଣ ଭୁଲ କଥା । ପ୍ରକୃତ କଥା ହେଲା ପୂର୍ବରୁ ଚିଲିକା ବିଜେପିର ଏକ ଗଡ ଥିଲା । ଗତ ନିର୍ବାଚନରେ ବିଜେଡି ତରଫରୁ ସେ ଏଗାର ହଜାର ଭୋଟରେ ଜିତିବା ପରେ ବିଜେପିର ରାଗ ପଞ୍ଚମ ହୋଇଯାଇଛି । ସେମାନେ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରିବାକୁ ଯୋଜନା କରୁଛନ୍ତି । ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି । ତାଙ୍କୁ ମାଡ ମାରିବା ପରେ ସେମାନେ ଗାଡିର ନମ୍ବର ପ୍ଲେଟକୁ ବାଡାଇ ଭାଙ୍ଗି ଦେଲେ । ସେଥିରେ ଆଉ ଏକ ନମ୍ବର ପ୍ଲେଟ ଯୋଡି ତାଙ୍କୁ ବଦନାମ କରିବାକୁ ଚେଷ୍ଠା କରିଥିଲେ । ସେଥିରେ ମଧ୍ୟ ସଫଳ ହୋଇ ପାରିଲେ ନାହିଁ , ଏହି ଗୋଟିଏ ଘଟଣା ନୁହେଁ ସେମାନେ ବିଭିନ୍ନ ସମୟରେ ତାଙ୍କୁ ବଦନାମ କରିବାକୁ ଚେଷ୍ଠା କରିଛନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି । ତେବେ ଏ ସବୁ ଘଟଣା ନେଇ ସେ ଦୁଃଖ ପ୍ରକାଶ କରି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଯାହା ବିଚାର କରିବେ – ମୁଁ ଶଙ୍ଖ ଚିହ୍ନରେ ଛିଡା ହୋଇ ଜିତିଛି । ମୁଁ ବିଜେଡିରେ ରହିଛି। ହେଲେ ସଭାପତି ତଥା ଦଳ ଯାହା ବିଚାର କରିବେ ସେଥିରେ ମୁଁ ସମ୍ମତି ପ୍ରଦାନ କରିବି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।