ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫର ମୋବାଇଲ ଲୁଟେରାଙ୍କ ବିରୋଧରେ କ୍ରମାଗତ ଭାବେ ଦୁଇ ଦିନ ହେଲା ଚଢ଼ାଉ ଜାରି ରହିଛି । ଶୁକ୍ରବାର ଦିନ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଗତକାଲି ପୁଣି ଆଉ ଦୁଇ ମୋବାଇଲ ଲୁଟେରା ଗିରଫ ହୋଇଥିବାର ଜଣାପଡିଛି । ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଗତକାଲି ସକାଳେ ଆରପିଏଫ ଓ ଜିଆରପି ମିଳିତ ଭାବେ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତିନି ନମ୍ବର ପ୍ଲାଟଫର୍ମର ଶେଷ ସ୍ଥାନରୁ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ । ସେମାନଙ୍କ ନିକଟରୁ ଛଅ ଗୋଟି ସ୍ମାର୍ଟଫୋନ ଜବତ କରିଛି ରେଳବାଇ ପୋଲିସ । ପଚରାଉଚୁରାରୁ ଜଣା ପଡିଥିଲା କି ସେ ସବୁ ଚଳନ୍ତା ଟ୍ରେନରୁ ବିଭିନ୍ନ ରେଳ ଯାତ୍ରୀଙ୍କ ନିକଟରୁ ଚୋରି ହୋଇଥିବା ଫୋନ । ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁ ଥାନା ଅଞ୍ଚଳର ସାଗର ବେହେରା (୨୩) ଏବଂ ଚନ୍ଦନ ଘଟୁଆଳି (୨୪) । ଜବତ ସ୍ମାର୍ଟଫୋନ ଗୁଡିକର ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେସ ନମ୍ବର ୧୦୭ / ୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ବାଲୁଗାଁ ଆରପିଏଫ ର ଉକ୍ତ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
ବାଲୁଗାଁ ଆରପିଏଫ ହାତରେ ଧରା ହେଲେ ଆଉ ଦୁଇ ଲୁଟେରା : ୬ ଫୋନ ଜବତ !!!

