ବାଣପୁର ଥାନା ଅଞ୍ଚଳରେ ବନ କର୍ମଚାରୀଙ୍କୁ ଆକ୍ରମଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ବଢ଼ିଚାଲିଛି କାଠ ମାଫିଆଙ୍କ ପ୍ରାଦୁର୍ଭାବ । ଏପରିକି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ କାଠ ମାଫିଆ ମାନେ ପଛାଉ ନାହାନ୍ତି । ପୁଣି ଥରେ ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସଲପଡିହ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ନାଚୁଣୀ ସେକ୍ସନ ସଲପଡିହ ଶୂଳିଆ ସରଂକ୍ଷିତ ଜଙ୍ଗଲରୁ ଦୁର୍ବୁତ୍ତ ମାନେ କାଠ ଚୋରା ଚାଲାଣ କରୁଥିବାର ଖବର ପାଇଥିଲେ ନାଚୁଣୀ ସେକ୍ସନ ବନରକ୍ଷୀ । ସଙ୍ଗେସଙ୍ଗେ ବନରକ୍ଷୀ ଜଣକ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବହୁ ସଂଖ୍ୟାରେ କାଠ ଲୋଡ଼ ହୋଇ ଯାଉଥିବାର ସେ ଦେଖିବାକୁ ପାଇଥିଲେ । ତେବେ ଉକ୍ତ ଗାଡିର ଅନୁମତି ପତ୍ର ମାଗିବାରୁ ପାଖାପାଖି ୫୦ ରୁ ୧୦୦ ଦୁର୍ବୁତ୍ତ ଏକତ୍ରିତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ । ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବନରକ୍ଷୀଙ୍କୁ ଦୁର୍ବୁତ୍ତଙ୍କ କବଳରୁ ଉଦ୍ଧାର କରିଥିଲା । ମଙ୍ଗଳବାର ଦିନ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ପଚାରିବାରୁ ଆକ୍ରମଣ ଘଟଣାଟି ସତ୍ୟ ବୋଲି କହିବା ସହ ଏ ନେଇ ବାଣପୁର ଥାନାରେ ଏଫଆଇଆର ଦିଆଯାଇଛି ବୋଲି କହିଥିଲେ । ଅନୁରୂପ ଭାବେ ପୋଲିସ ପୁଣି ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବ ବୋଲି ସେ କହିଛନ୍ତି । ସେସବୁ ଚୋରା କାଠ ନା ତାହାର ଅନୁମତି ପତ୍ର ଅଛି, ପୋଲିସ ତାହାର ତଦନ୍ତ କରିବା ପରେ ବନ କର୍ମଚାରୀଙ୍କୁ ଆକ୍ରମଣକାରିଙ୍କ ବିରୋଧରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡ଼ିଏଫଓ କହିଛନ୍ତି ।

Leave a Reply

Your email address will not be published. Required fields are marked *