ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡ଼ ଠାରୁ ଆରମ୍ଭ କରି ଚାଷ ଜମି ନଇ ପଠା ଯାଏଁ ସବୁଠି ଦହଲୁ ଥାଏ କାଶତଣ୍ଡି ! ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡି ର ସମ୍ଭାର ! ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡି । କାଶତଣ୍ଡି ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା ଅବତରଣ କରୁଥିବା ଆମ ସମାଜରେ ଲୋକ କଥା ରହିଛି । ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଆଙ୍କ ଆଗମନକୁ ପ୍ରକୃତି ରାଣୀ ସବୁଜ ବନାନୀ ଓ କାଶତଣ୍ଡି ଫୁଲରେ ସଜେଇ ହୋଇଛି । ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶତଣ୍ଡିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ ! ଧାନ ବିଲରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶତଣ୍ଡି ଫୁଲ ମାଆଙ୍କ ଆଗମନ କୁ ଚାହିଁ ରହିଥାଏ । ପବନର ଲହରୀରେ ଦୋହଲି ସତେ ଯେପରି ଖିଲି ଖିଲି ହସୁଥାଏ । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ , କବି ହେଉ ବା ଲେଖକ କାଶତଣ୍ଡି ର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଉତଫୁଲିତ ହୋଇ କଲମରୁ ଝରିପଡେ ଅନେକ କବିତା !