କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଗ୍ରାମ ପଞ୍ଚାୟତ ବିକିସର ଛକଠାରୁ ହରିହରପୁର ଗ୍ରାମ ପଞ୍ଚାୟତର ଏକଘରିଆ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ରେଙ୍ଗାଳି ଶାଖା କେନାଲ ପାର୍ଶ୍ଵ ରାସ୍ତା ଶୋଚନୀୟ ହୋଇ ପଡ଼ିଛି । କେନାଲର ଉଭୟ ପାର୍ଶ୍ଵରେ ଜମି ଓ ଜନବସତି ରହିଥିବା ବେଳେ କେନାଲର ରକ୍ଷଣାବେକ୍ଷଣ ପାଇଁ ଜଳସେଚନ ବିଭାଗ ଗୋଟିଏ ପାର୍ଶ୍ୱରେ ପିଚୁ ରାସ୍ତା ନିର୍ମାଣ କରିଥିଲା । ବହୁ ବର୍ଷ ଧରି ଏହା ମରାମତି ଅଭାବରୁ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି । ତାଳଚେର ର ସ୍କଟଲାଣ୍ଡପୁର ଠାରୁ ଏକଘରିଆ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ କେନାଲ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧିନରେ ନିର୍ମାଣ କରାଯାଇଛି । ରାଧାକୃଷ୍ଣ ମନ୍ଦିର ଠାରୁ ମାତ୍ର ଦୁଇ କିଲୋମିଟର ବିକିସର ଛକ ପର୍ଯ୍ୟନ୍ତ ଏହି ରାସ୍ତାକୁ ପୁନରୁଦ୍ଧାର କଲେ, ଏହା ପୂର୍ତ୍ତ ବିଭାଗର ବିକିସର – ବାମରା ରାସ୍ତାକୁ ସଂଯୋଗ ହେବ । ଏହି ରାସ୍ତା ନିର୍ମାଣ କରାଗଲେ କେନାଲ ପାର୍ଶ୍ଵରେ ଥିବା ଜନବସତି ଲୋକେ ଉପକୃତ ହେବା ସଙ୍ଗେ ସଙ୍ଗେ ସମଲ ପଞ୍ଚାୟତ ସହିତ ହରିହରପୁର ପଞ୍ଚାୟତ ସଂଯୋଗୀକରଣ ହୋଇପାରିବ । ଏହି ରାସ୍ତା ନିର୍ମାଣ ପାଇଁ ବିକିସର, ଏକଘରିଆ ଓ ନବୀନନଗର ଗ୍ରାମବାସୀ ମାନେ ସାଧାରଣରେ ଦାବୀ କରିଛନ୍ତି ।