ବାଣପୁର ପଙ୍କାଳ ଗ୍ରାମର ହତ୍ୟା ଘଟଣା : ଦ୍ବିତୀୟ ଅଭିଯୁକ୍ତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଅକ୍ଟୋବର ମାସ ୧୦ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଙ୍କାଳ ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଦେଢ଼ସୁର ଓ ଦିଅର ଘରୁ ଘୋଷାରି ଆଣି ବିଚ ରାସ୍ତା ଉପରେ ଧାରୁଆ ଅସ୍ତ୍ରରେ କରିଥିଲେ ବିଭତ୍ସ ହତ୍ୟା । ମହିଳାଙ୍କ ମୃତ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡ଼ି ରହିଥିବା ବେଳେ କେହି ସେଠାକୁ ଆସି ନଥିଲେ । ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ସେତେବେଳକୁ ଅଭିଯୁକ୍ତ ମାନେ ଘଟଣା ଘଟାଇ ସେଠାରୁ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚାରିଆଡ଼େ ଜାଲ ବିଛେଇ ଥିବାବେଳେ ଘଟଣା ଘଟିବାର କିଛି ଦିନ ପରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଗତକାଲି ଅପରାହ୍ନରେ ଆଉ ଜଣେ ଅଭିଯୁକ୍ତ ବଂଶିଧର ରାଉତରାୟ ( ୬୩ବର୍ଷ ) କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ରୁ ପ୍ରକାଶ ଯେ ଗମ୍ଭାରୀମୁଣ୍ଡା ପଙ୍କାଳ ଗ୍ରାମର ସ୍ଵର୍ଗତ ହାଡୁବନ୍ଧୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମରେ ରହୁଥିବା ବେଳେ ଆଉ ଦୁଇଜଣ ଗାଁ ରାସ୍ତା ରେ ଘର କରି ରହିଆସୁଛନ୍ତି । ସମସ୍ତ ପୁଅ ୧୦୦ ବର୍ଷର ବୃଦ୍ଧା ମା,କୁ ଏକମାସ ଲେଖାଁଏ ଚଳାଇବାକୁ ସ୍ଥିର କରିଥିବା ବେଳେ , ମଝିଆଁ ପୁଅ ସୁବାଷ ରାଉତରାୟ ଏକ ମାସ ବୁଢି ମା’କୁ ଘରେ ରଖି ଅନ୍ୟ ଭାଇମାନଙ୍କ ପାଖକୁ ପଠାଇଥିଲେ । କିନ୍ତୁ ସେମାନେ ଗୋଟିଏ ମାସ ପରେ ପୁଣି ବୁଢି ମା’କୁ ସୁବାଷ ଙ୍କ ଘରକୁ ପଠାଇ ଦେଇଥିଲେ । ଏହାକୁ ନେଇ ଅକ୍ଟୋବର ମାସ ୧୦ ତାରିଖ ସକାଳେ ଦେଖା ଦେଇଥିଲା ବିବାଦ । ଏହି ବିବାଦ ଏଭଳି ଉଗ୍ରରୂପ ନେଇ ଥିଲାଯେ ଦୁଇ ଦେଢଶୁର ଲଷ୍ମୀ ରାଉତରାୟେ ଓ ବଇଁଶୀ ରାଉତରାୟ ଙ୍କ ସମେତ ଦିଅର ମାଧବ ରାଉତରାୟ ମିଶି ସୁବାଷ ଙ୍କ ଘରେ ପଶିଯାଇ ସୁବାଷଙ୍କ ସମେତ ତାଙ୍କ ବୋହୁକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାକୁ ପ୍ରତିବାଦ କରିବାରେ ସେମାନେ ମିନାକ୍ଷୀକୁ ଘରୁ ଭିଡିଆଣି ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବରେ ହତ୍ୟାକାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ପୋଲିସ ଓ ସାଇଁଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ! ଏବେ ଦ୍ୱିତୀୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

Leave a Reply

Your email address will not be published. Required fields are marked *