ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଓଡିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି । ପୁସ୍ତକଟିରେ ସମୁଦାୟ ୨୦ ଟି ବିଷୟ ସ୍ଥାନିତ ହୋଇଛି । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ ଓ ସବୁଠାରୁ ବଡ ପରିଚୟ । ଓଡିଆ ଭାଷା ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ, ଓଡିଶା ଗଠିତ ହୋଇଥିଲା । ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ୨୦୩୬ ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରକାଶକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପି.କେ. ଜେନା ଉପସ୍ଥିତ ଥିଲେ । ବିଶିଷ୍ଟ ଭାଷାବିତ୍‌ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡଃ ଭଗବାନ ପ୍ରକାଶ, ପ୍ରମେୟର ସଂପାଦକ ଗୋପାଳ ମହାପାତ୍ର, ପ୍ରଗତୀବାଦୀର ସଂପାଦକ ବିରୁପାକ୍ଷ ତ୍ରିପାଠୀ ନବକିଶୋର ପ୍ରଧାନ, ସାରଦା ପ୍ରସାଦ ମହାପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *