ସମର୍ପଣ ବୃଦ୍ଧାଶ୍ରମ ରେ ସମ୍ପର୍କ ସମାବେଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ସ୍ଥାପିତ ବୃଦ୍ଧାଶ୍ରମ ସମର୍ପଣ ହେଉଛି ଅସହାୟ ମାନଙ୍କର ସହାୟ । ଗରିବ, ଦୁଃସ୍ଥ, ନିଷ୍ପେଷିତ ଓ ଅବହେଳିତ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ଏକ ସୁନ୍ଦର ଆଶ୍ରୟସ୍ଥଳ । ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗରେ ପରିଚାଳିତ ହେଉଥିବା ବୃଦ୍ଧାଶ୍ରମ ରେ ଏକ ସମ୍ପର୍କ ସମାବେଶ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଯୋଗ ଦେଇଥିଲେ । ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର ସଂପାଦକ ଦାମୋଦର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ସମାବେଶର ଉଦ୍ଦେଶ୍ଯ ଜ୍ଞାପନ କରିବା ସହିତ ଏହି ସମର୍ପଣ ଗୃହର ପରିକଳ୍ପନା କରିଥିବା ତଥା ମାର୍ଗଦର୍ଶନ କରୁଥିବା ମାନ୍ଯବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

” ସମର୍ପଣ “ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଆୟ ବ୍ୟୟ ବିବରଣୀ ପାଠ କରିବା ସହିତ ଉପର ମହଲାରେ ପ୍ରସ୍ତୁତ ହେଉଥିବା ୪୦ ଟି ବେଡ୍ ର ଖର୍ଚ୍ଚ ବିଷୟରେ ଏକ ବଜେଟ ଉପସ୍ଥାପନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷଙ୍କୁ ଅଶେଷ ଧନ୍ଯବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘ ଓ ପ୍ରତ୍ଯେକ ଦିନ ଅନ୍ତେବାସୀ ମାନଙ୍କୁ ଆକ୍ଯୁପ୍ରେସର ସେବା ଯୋଗାଉଥିବା ଭାସ୍କର ଚନ୍ଦ୍ର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଆଶ୍ରମ ପରିସରରେ ପ୍ଳେ ସ୍କୁଲ, ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ଦାନ ଓ ସହଯୋଗ ରହୁ ବୋଲି ଅନୁରୋଧ କରିଥିଲେ । ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବଦାନ୍ଯ ବ୍ଯକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ପରିଚାଳନା କମିଟିର ସଦସ୍ଯ ସତ୍ଯ ନାରାୟଣ ମହାପାତ୍ର, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମ୍ଯାନେଜର ସୀତାରାମ ପ୍ରଧାନ ସମେତ ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମରେ ରୋଟାରୀ କ୍ଲବ ର ସଦସ୍ଯ ମାନଙ୍କ ସହିତ ବହୁ ଶିକ୍ଷାବିତ୍, ସମାଜସେବୀ, ବ୍ଯବସାୟୀ ଓ ସମାଜସେବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *