ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ବାଣପୁର ବ୍ଲକ ଦିକ୍ଷୀତପଡା ଗ୍ରାମଠାରେ ଥିବା ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ଦେବଙ୍କ ପୀଠରେ ବିରଞ୍ଚି ନାରାୟଣ ବ୍ରତ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଭକ୍ତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି । ରବିବାର ପ୍ରାତକାଳରୁ ବ୍ରତଧାରୀ ମାନେ କଂସାରୀ ନଦୀରେ ସ୍ନାନ କରି ବିରଞ୍ଚି ନାରାୟଣ ଦେବଙ୍କୁ ଦର୍ଶନ କରିଥିଲେ । ତେବେ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନେ ବିରଞ୍ଚି ନାରାୟଣଙ୍କ ଶରଣାପନ୍ନ ହୋଇଥାନ୍ତି । ଆଜିର ଦିନରେ ପ୍ରଭୁଙ୍କର ପୂଜା ଆରାଧନା କଲେ ଭକ୍ତ ମାନଙ୍କର ମନସ୍କାମନା ପୁରଣ ହୋଇଥାଏ । ଏପରିକି ବିଞ୍ଚି ନାମକ ରୋଗରୁ ମୁକ୍ତ ହେଉଥିବା ସାଧାରଣରେ ବିଶ୍ୱାସ ରହିଛି । ସେଥିପାଇଁ ମାନସିକ ଧାରିମାନେ ଗୁଆ, ନଡ଼ିଆ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ପ୍ରଭୁଙ୍କର ଆଶୀର୍ବାଦ ଲାଭ କରିଥାନ୍ତି । ବିଶ୍ବର ମଙ୍ଗଳ ନିମନ୍ତେ ରାତ୍ର ସମୟରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଥାଏ । ତେବେ ଦିକ୍ଷୀତପଡା ଗ୍ରାମରେ ପ୍ରାୟ ୫୦ ବର୍ଷ ଧରି ଏହି ପୂଜାର୍ଚ୍ଚନା ଚାଲିଥିବା ବେଳେ ଦିବାନିଶି ନାମ ସଙ୍କୀର୍ତ୍ତନ ଓ ପୈାରାଣୀକ ଯାତ୍ରାର କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବରେ ଗ୍ରାମର ବିରଞ୍ଚି ନାରାୟଣ ମନ୍ଦିର କମିଟି, କିଶୋର ସେବା ସଂଘ, ମା ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଲବ୍ ସମେତ ବାଣପୁର ଥାନା ଅଧିକାରୀ , ବାଲୁଗାଁ ଥାନା, ନାଚୁଣୀ ଥାନାର ସମସ୍ତ ପୋଲିସ ଓ ବାଣପୁର ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ଉପସ୍ଥିତ ରହି ଟ୍ରାଫିକ ସମସ୍ୟା ଦୂର କରିବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।
ବାଣପୁର ଦିକ୍ଷୀତପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ପୀଠରେ ପବିତ୍ର ମାଘ ପୂର୍ଣ୍ଣିମା ପାଳିତ !!!

