ହେ କଲେକ୍ଟର ବାବୁ .. ମୋ ଗୁହାରି ଶୁଣ l ମୁଁ କଥା କହି ପାରୁନି , ହେଲେ ମୋ ଯନ୍ତ୍ରଣା ଟିକେ ଦେଖ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ହେ କଲେକ୍ଟର ବାବୁ ନମସ୍କାର, ମୋ ଗୁହାରି ଶୁଣ l ପକ୍କାଘର ଟିଏ ଦେବେ କହି ଆମଠୁ 10 ହଜାର ଟଙ୍କା ଲାଞ୍ଚ ନେଲେ l ତଥାପି ଦେଲେନି l ମୁଁ ଦିବ୍ୟାଙ୍ଗ l ମୁଁ କଥା କହିପାରୁନି, ଠିକ ସେ ଚାଲି ବି ପାରୁନି l ଏଇ କୁନି ପାଦ ଆଉ ହାତରେ କେତେ ଗୁହାରି କରିବି .. କେହି ଶୁଣୁନାହାନ୍ତି l ଏମିତି କିଛି ଅକୁହା କଥାକୁ କାକୁତି ମିନତୀ ହୋଇ ନୟାଗଡ଼ ଉପ ଜିଲ୍ଲାପାଳଙ୍କୁ କହିବାକୁ ଚେଷ୍ଟା କରୁଛି ଏଇ ଦିବ୍ୟାଙ୍ଗ ବାମନ ଝିଅ l ଏଇ ବାମନ ଦିବ୍ୟାଙ୍ଗ ଝିଅ ପକ୍କାଘର ଟିଏ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ଦେଖି ସମସ୍ତେ ଅବାକ ଆଉ ଚଳିତ l ଝିଅ ସିନା ପାଟି ଖୋଲି କହି ପାରୁନି, ହେଲେ ଝିଅର ମନ କଥାକୁ ମା କହୁଛନ୍ତି l ଆଉ ଦିବ୍ୟାଙ୍ଗ ଝିଅର ଗୁହାରି ଶୁଣିବାକୁ ସଙ୍ଗେ ସଙ୍ଗେ ଚେୟାର ଛାଡ଼ି ପାଖକୁ ଆସୁଛନ୍ତି ଉପଜିଲ୍ଲାପାଳ l ଏଇ ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର l ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ଏଇ ଦିବ୍ୟାଙ୍ଗ ଝିଅ ଓ ମା କେତେ କାହାକୁ ଗୁହାରି କଲେଣି l ହେଲେ ସମସ୍ତେ ନିଦାବିଷ୍ଣୁ l ନୟାଗଡ଼ ସରଧାପୁର ଗାଁର ଜଗନ୍ନାଥ ବେହେରାଙ୍କ 18 ବର୍ଷୀୟା ଦିବ୍ୟାଙ୍ଗ ଝିଅ କବିତା ବେହେରା l ବାପା ଜଣେ ଗାଈ ଚରଳି l ଆବାସ ଯୋଜନାରେ ଅନିୟମିତତାକୁ ନେଇ ନୟାଗଡ଼ ବିଜେପି ନେତୃତ୍ୱରେ ଶହ ଶହ ଯୋଗ୍ୟ ହିତାଧିକାରୀ ଆନ୍ଦୋଳନ କରିଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ଘେରିଥିଲା l ପରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ବେଳେ ଏଇ ଦିବ୍ୟାଙ୍ଗ ଝିଅ ସମସ୍ତଙ୍କ ନଜରକୁ ଆସିଥିଲା l ଆବାସ ଯୋଜନାରେ ଭୟଙ୍କର ଅନିୟମିତତା ଏଥିରୁ ସ୍ପଷ୍ଟ ଜଣାପଡୁଛି l ଦିବ୍ୟାଙ୍ଗ କବିତାକୁ ଦେଖି ବିଜେପି ନେତ୍ରୀ ଇରାନୀ ରାୟ ଚକିତ ହୋଇଯାଇଥିଲେ l ପୁରା ଘଟଣା ସମ୍ପର୍କରେ କବିତାଙ୍କ ମାଆଙ୍କ ଠାରୁ ଶୁଣି ସଙ୍ଗେ ସଙ୍ଗେ ସରକାରୀ ବାବୁଙ୍କୁ ଦେଖା କରିବାକୁ ଅଫିସକୁ ନେଇଥିଲେ l ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ କବିତାଙ୍କୁ ଉପଜିଲ୍ଲାପାଳଙ୍କ ପାଖକୁ ନେଇଥିଲେ ବିଜେପି ନେତ୍ରୀ ଇରାନୀ ରାୟ l କୁନି ହାତରେ ଅଭିଯୋଗ ପତ୍ର ଆଉ କୁନି ପାଦରେ ଚାଲି ଚାଲି ଅଫିସକୁ ଗଲେ l ପାଖରେ ସାହାରା ଦେଉଥିଲେ ଇରାନୀ l କବିତାଙ୍କ ଏକ ସ୍ପେସିଆଲ କେସ ଦେଖିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ଇରାନୀ l ଇରାନୀଙ୍କ ଏପରି କାର୍ଯ୍ୟକୁ ଦେଖି ସମସ୍ତେ ଖୁସି ହୋଇଥିଲେ l କେବଳ କବିତା କାହିଁକି l ଏଭଳି ଶହ ଶହ କବିତା ଅଛନ୍ତି l ଯେଉଁମାନଙ୍କୁ ପକ୍କାଘର ଦେବାକୁ କହି ଲାଞ୍ଚ ଆଦାୟ ହୋଇଛି l କବିତାଙ୍କ ମା’ ଉପଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି l ମାଆ ଝିଅକୁ ଘର ଦେବାକୁ କହି ସରପଞ୍ଚ 10 ହଜାର ଟଙ୍କା ଲାଞ୍ଚ ନେବା କଥା,ଝିଅ ପାଇଁ ପାଇଖାନା ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ କହିଥିଲେ l ଆଉ ଉପଜିଲ୍ଲାପାଳ ସେମାନଙ୍କ ସମସ୍ୟା ଶୁଣି ତଦନ୍ତ କରି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ତେବେ ପ୍ରଶାସନ ତରଫରୁ କବିତା ଓ ତାଙ୍କ ପରିବାରକୁ କେବେ ମିଳୁଛି ସମସ୍ତ ସରକାରୀ ଯୋଜନା ତାହା ଉପରେ ସମସ୍ତଙ୍କ ନଜର l

Leave a Reply

Your email address will not be published. Required fields are marked *