ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଥିଲା ନୀଳାମ୍ବୁ ଚିଲିକା ! ଗତ ୪ ମାସ ଧରି ମରାଳମାଳିନୀ ଚିଲିକାରେ ବସବାସ କରୁଥିବା ବିଦେଶାଗତ ପକ୍ଷୀ ଏବେ ଚିଲିକାରୁ ବିଦାୟ ନେବା ଆରମ୍ଭ କରିଛନ୍ତି । ନଭେମ୍ବର ମାସର ପ୍ରାରମ୍ଭରେ ପକ୍ଷୀ ସବୁ ହଜାର ହଜାର କିଲୋମିଟର ଆକାଶ ମାର୍ଗରେ ଉଡି ଆସି ଚିଲିକାରେ ପହଞ୍ଚିଥାନ୍ତି । ଏହି ବିଦେଶାଗତ ପକ୍ଷୀ ମାନେ ଏବେ ଗରମ ସହ୍ୟ ନକରି ପାରି ନିଜ ଘର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ / ୨୩ ବର୍ଷ ପକ୍ଷୀ ଗଣନା ଅନୁଯାୟୀ ସମଗ୍ର ଚିଲିକାରେ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ଟି ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିଲା । ପକ୍ଷୀ ଅଭୟାରଣ୍ୟ ନଳ ବନରେ ଅଧିକ ସଂଖ୍ୟକ ପକ୍ଷୀ ଥିବାବେଳେ ଟାଙ୍ଗୀ ରେଞ୍ଜର ମଙ୍ଗଳାଜୋଡି ଅଞ୍ଚଳରୁ ଅଧିକାଂଶ ପକ୍ଷୀ ମାନଙ୍କ ଘର ବାହୁଡା ହୋଇଗଲେଣି । ଏପରିକି ସମଗ୍ର ଚିଲିକାରୁ ଆଜି ସୁଦ୍ଧା ୨ ଲକ୍ଷ ୭୨ ହଜାରରୁ ଅଧିକ ପକ୍ଷୀ ବିଦାୟ ନେଇ ସାରିଥିବା ବେଳେ ଆଉ ଅଳ୍ପଦିନ ମଧ୍ୟରେ ପ୍ରାୟ ଶତକଡା ୯୦ ଭାଗ ପକ୍ଷୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଯିବେ ବୋଲି ଏବେଠାରୁ ସୂଚନା ମିଳି ସାରିଲାଣି ।

ଚିଲିକାରେ ଏବେ ପାଣିପାଗ ସୂଚନା ଅନୁଯାୟୀ ତାପମାତ୍ରା ୩୨ ଡିଗ୍ରୀରୁ ଅଧିକ ଥିବାବେଳେ ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଅଛି । ବନ୍ୟପ୍ରାଣୀ ବିଭାଗ ଏସିଏଫ ପ୍ରଶାନ୍ତ କୁମାର ପଣ୍ଡା କହିବା ମୁତାବକ ଏବେ ସମଗ୍ର ଚିଲିକାରେ ୯୬ ପ୍ରଜାତିର ୭ ଲକ୍ଷ ୧୭ ହଜାର ୪୪୦ଟି ବିଦେଶାଗତ ପକ୍ଷୀ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଖାଦ୍ୟ ଅଭାବ ଦେଖା ଯାଇଥିବା ବେଳେ ଜଳସ୍ତର ହ୍ରାସ ଓ ଗରମ ସହି ନପାରି ଏହି ପକ୍ଷୀମାନେ ପର୍ଯ୍ୟାୟ କ୍ରମେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଏହି ପକ୍ଷୀ ମାନେ ଚାଲିଯିବେ ବୋଲି ସୂଚନା ମିଳି ସାରିଛି । ଚିଲିକାର ଉପକୂଳ ଅଞ୍ଚଳରେ ଆଦୌ ଦୃଷ୍ଟି ଗୋଚର ହେଉ ନଥିବା ବେଳେ କିଛି ମାତ୍ରାରେ ଦେଶୀୟ ପକ୍ଷୀ ଥିବା ଏସିଏଫ ଶ୍ରୀ ପଣ୍ଡା କହିଛନ୍ତି । ଚିଲିକାକୁ ଶୋଭା ଦେଉଥିବା ଓ ପ୍ରତ୍ୟେକ ସମୟରେ ରଙ୍ଗ ପରିବର୍ତ୍ତନ କରୁଥିବା ସବୁଠାରୁ ସୁନ୍ଦର , ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ମାତ୍ର ୧୨୭ ଟି ଥିବା ପକ୍ଷୀ ଗଣନାରୁ ଜଣାପଡିଥିଲା । ଫ୍ଲେମିଙ୍ଗ ଏବେ ୪୪୧ ଟି ଥିବା ପକ୍ଷୀ ବିଶେଷଜ୍ଞ ବୃନ୍ଦାବନ ଜେନା କହିଛନ୍ତି । ଫ୍ଲେମିଙ୍ଗ ଡେରିରେ ଆସିଥିଲେ ମଧ୍ୟ ଏମାନେ ବେଶୀ ଗରମ ସହ୍ୟ କରି ପାରନ୍ତି ନାହିଁ , ଯାହା ଫଳରେ ଅଳ୍ପଦିନ ମଧ୍ୟରେ ଚାଲିଯିବା ସମ୍ଭାବନା ଅଛି । ତେବେ ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସ ମଧ୍ୟରେ ଏହି ବିଦେଶାଗତ ପକ୍ଷୀ ମାନେ ପୁଣି ଚିଲିକାକୁ ଫେରି ଆସି ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବେ ବୋଲି ଶ୍ରୀ ଜେନା କହିଛନ୍ତି ।

