ବାଣପୁର ଯାତ୍ରା ପଡ଼ିଆରୁ ଉଠା ବ୍ୟବସାୟୀ ଙ୍କୁ ନିଶା ଦେଇ ଲୁଟିଲା ଲୁଟେରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପଞ୍ଚୁଦୋଳ ଯାତ୍ରାରେ ଚାରିଜଣ ଉଠା ଦୋକାନୀଙ୍କ ଠାରୁ ଅଭିନବ ଢଙ୍ଗରେ ଦୁଇ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ପୁଅର ସାଙ୍ଗ ବୋଲି ପରିଚୟ ଦେଇ ଏବଂ ସେମାନଙ୍କୁ ନିଶାଯୁକ୍ତ ପାନୀୟ ପିଆଇ ଦୋକାନୀଙ୍କ ପାଖରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛି ଜଣେ ଲୁଟେରା । ଯାତ୍ରାରେ ବ୍ୟବସାୟ କରିଥିବା ସମସ୍ତ ଟଙ୍କା ଲୁଟ ହୋଇଯିବା ପରେ ଖାଲି ହାତରେ କିପରି ଗ୍ରାମକୁ ଫେରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଏହି ଚାରିଜଣ ଉଠା ବ୍ୟବସାୟୀ । ଅନ୍ୟ ପକ୍ଷରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବାରୁ ଘଟଣାଟି ରହସ୍ୟ ଘେରରେ ରହିଛି । ଏହି ମେଳଣ ପଡ଼ିଆରେ ନୟାଗଡ଼ ଜିଲ୍ଲା ରାଜ ସୁନାଖଳା ସ୍ଥିତ ଗୋବର୍ଦ୍ଧନ ପ୍ରସାଦ ଗ୍ରାମର କୁମର ଜେନା, ଉଦୟନାଥ ଜେନା ପ୍ରମୁଖ ତିନି ଜଣ ଘର କରଣା ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ପାଖରେ କାକଟପୁର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ ଖେଳନା ଦୋକାନ ଦେଇଥିଲେ । ବୁଧବାର ସନ୍ଧ୍ୟାରେ ବେପାର ସାରି ଦୋକାନୀ ମାନେ ଏକତ୍ର ହୋଇ ଗପସପ କରୁଥିବା ବେଳେ ଜଣେ ଯୁବକ ସେମାନଙ୍କ ପାଖରେ ପହଞ୍ଚି ନିଜକୁ କୁମର ଜେନାଙ୍କ ପୁଅ ମନୋଜର ସାଙ୍ଗ ବୋଲି ପରିଚୟ ଦେବା ସହ ପଡ଼ିଆରେ ଚାଟ ଦୋକାନ ଦେଇଥିବାର କହିଥିଲେ । ସେହିଭଳି ଗାଡ଼ି ଚାଳକ ମାନେ ଆନ୍ଦୋଳନ ଚଳାଇ ଥିବାରୁ ବଳକା ସାମଗ୍ରୀ ନେଇ କିପରି ଗ୍ରାମକୁ ଫେରିବେ ବୋଲି ଦୋକାନୀ ମାନଙ୍କୁ ପଚାରି ଥିଲେ । ତାପରେ ମୋ ପୁତୁରା ଗ୍ରାମରୁ ଗାଡ଼ି ନେଇ ଆସୁଥିବାରୁ ସେଥିରେ ଆମେ ସମସ୍ତେ ଫେରି ଯିବା ବୋଲି କହିଥିଲେ। ସେହିଭଳି ଦୋକାନୀ ମାନଙ୍କ ସହ ଗପସପ ଜମାଇ ନିଜେ ଆଣିଥିବା ମଦ ପିଇବାକୁ ଦେଇଥିଲା । ମଦ ପିଇବା ପରେ ଚାରିଜଣ ଯାକ ଦୋକାନୀ ଚେତଶୁନ୍ୟ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ସଂପୃକ୍ତ ଲୁଟେରା ଜଣଙ୍କ ଦୋକାନୀ ମାନଙ୍କ ପାଖରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲା । ଗୁରୁବାର ସକାଳେ ଦୋକାନୀ ମାନଙ୍କର ଚେତା ଫେରିବା ପରେ ସେମାନେ ଲୁଟର ଶିକାର ହେବାର ଜାଣିବାକୁ ପାଇଥିଲେ । ଦୋକାନୀ ମାନେ ପଡିଆ ଯାକ ଖୋଜାଖୋଜି କରିଥିଲେ ମଧ୍ୟ ସଂପୃକ୍ତ ଯୁବକ ଜଣଙ୍କର ଖୋଜ ଖବର ପାଇନଥିଲେ । ରିପୋର୍ଟ ଲେଖା ହେବା ବେଳକୁ ଏନେଇ ଦୋକାନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ । ତେବେ ରାତିରେ କେତେକ ଦୋକାନୀ ମଦ୍ୟପାନ କରି ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିବାର ସ୍ଥାନୀୟ କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ଯାହା ଫଳରେ ଘଟଣା ଟି ସନ୍ଦେହ ଘେରକୁ ଚାଲିଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ପୁଲିସ ତଦନ୍ତ କଲେ ସତ୍ୟାସତ୍ୟ ଆସିବା ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *