ଜିତିଲେ ଦୀପାଳି : ବାଜିଲା ଶଙ୍ଖ !!!

Spread the love

ଝାରସୁଗୁଡ଼ା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଝାରସୁଗୁଡା ଉପନିର୍ବାଚନ ଫଳାଫଳ ଆସିଯାଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ତୃତୀୟ ସ୍ଥାନରେ ରହିଥିଲେ ବି ବହୁତ କମ୍ ଭୋଟ୍ ପାଇଛନ୍ତି । ସେ ମାତ୍ର ୪୪୯୬ ଖଣ୍ଡ ଭୋଟ ପାଇଛନ୍ତି । ୨୦୧୯ରେ ସ୍ୱର୍ଗତ ନବ କିଶୋର ଦାସ ବିଜେଡି ଟିକେଟରେ ଛିଡ଼ା ହୋଇ ଏଠାରୁ ୯୮,୬୨୦ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ଏଥର ତାଙ୍କ ଝିଅ ଦୀପାଳି ୧ ଲକ୍ଷ ୭ ହଜାର ୧୯୮ ଖଣ୍ଡ ଭୋଟ ପାଇଛନ୍ତି । ନବ ଦାସ ମୋଟ ଭୋଟରୁ ୫୫.୯୭% ପାଇଥିଲେ। କିନ୍ତୁ ଦୀପାଳି ମୋଟ ଭୋଟରୁ ୬୦.୯୩% ହାତେଇଛନ୍ତି । ସେହିପରି ବିଜେପି ହାରିଥିଲେ ହେଁ ଏହାର ଭୋଟ ହାର ବଢ଼ିଛି । ୨୦୧୯ ନିର୍ବାଚନରେ ଦଳ ଏହି ଆସନରୁ ଦୀନେଶ କୁମାର ଜୈନଙ୍କୁ ପ୍ରାର୍ଥୀ କରିଥିଲା। ସେ ୫୨ ହଜାର ୯୨୧ ଖଣ୍ଡ ଭୋଟ ପାଇଥିଲେ, ଯାହା ମୋଟ ଭୋଟର ୩୦.୦୪% ଥିଲା। ଅନ୍ୟପକ୍ଷରେ ଏଥର ଦଳର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୪୭୭ ଖଣ୍ଡ ଭୋଟ ମିଳିଛି, ଯାହା ମୋଟ ଭୋଟର ୩୩.୨୪%। ଗତ ଥର ଅପେକ୍ଷା ଦଳ ଏଥର ୫୫୫୬ ଖଣ୍ଡ ଅଧିକ ଭୋଟ ପାଇଛି । କଂଗ୍ରେସର ଏଭଳି ଅବସ୍ଥା ନେଇ ବିଧାୟକ ତାରା ବାହିନୀପତି କହିଛନ୍ତି, ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ । ଝାରସୁଗୁଡ଼ାରେ ଯେପରି ଟଙ୍କା ଖର୍ଚ୍ଚ ହେଉଥିଲା ଜିତିବା ସମ୍ଭବ ନ ଥିଲା । ନବ ବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀ ବିଜେଡି ପଳାଇଲେ । ଏହି ଉପନିର୍ବାଚନରେ ଆମ ଭୋଟ୍ ବିଜେଡିକୁ ପଳେଇଛି । ୪୦ ହଜାର ଭୋଟ ପାଇବୁ ବୋଲି ଆଶା ଥିଲା, ହେଲେ ୪ ହଜାରରେ ଅଟକିଗଲା ।

Leave a Reply

Your email address will not be published. Required fields are marked *