କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ତାଙ୍କୁ ଅପହରଣ କରି ନିଆ ଯାଇଥିବା ନେଇ ସନ୍ଦେହ କରାଯାଉଛି । ମାଓବାଦୀ କି ଅନ୍ୟ କେହି ତାହା ଜଣା ପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଅନୁସାରେ, ଶୁକ୍ରବାର ଜାଜେଶପାଙ୍ଗା ଗାଁରେ ବରାଳ ଦେବୀ ପୂଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାତ୍ରାରେ ଉପାଧକ୍ଷ ଅଜିତଙ୍କୁ ଅତିଥି ଭାବରେ ଡକା ଯାଇଥିଲା। ଉପାଧକ୍ଷ ନିଜ କାରରେ ରତଙ୍ଗ ପଞ୍ଚାୟତ ସମିତି ସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀଙ୍କ ସହ ଜାଜେଶପାଙ୍ଗା ପାଇଁ ବାହାରିଥିଲେ। କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ତାଙ୍କ କାରରେ ସାଡିଙ୍ଗିଆ ଯାଉଥିଲେ । ରାସ୍ତାରେ ଥିବା ଘାଟି ନିକଟରେ କାରଟିକୁ ରଖି ବାହାରକୁ ପରିସ୍ରା ପାଇଁ ଓହ୍ଲାଇଥିଲେ । ଏଥିସହ ତାଙ୍କର ଦୁଇଜଣ ସହଯୋଗୀ ମଧ୍ୟ ଓହ୍ଲାଇଥିଲେ । ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନ ଥିବା ଦେଖିବାକୁ ପାଇଥିଲେ । ଉଭୟ ସ୍ଥାନୀୟ ଅଞ୍ଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ୍ୟ ଅଜିତଙ୍କୁ ପାଇ ନ ଥିଲେ । ଅନ୍ୟପଟେ ଅଜିତଙ୍କ କାରରେ କାର ଚାବି ଲାଗି ରହିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ରହିଛ । କିଛି ସମୟ ପରେ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ । ବର୍ତ୍ତମାନ ସୁଦ୍ଧା ଉପାଧକ୍ଷଙ୍କ କୌଣସି ଖୋଜ ଖବର ମିଳି ପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓବାଦୀ ଅଧୁଷିତ ଅଞ୍ଚଳ ହୋଇଥୁବାରୁ ମାଓବାଦୀ ଅଜିତଙ୍କୁ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀ ମାନେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ । ସମଗ୍ର କନ୍ଧମାଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଅବ୍ୟାହତ ରହିଛି l
ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ : ଅପହରଣ ସନ୍ଦେହ !!!

