ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ବେତାଗୁଡା ରିଜର୍ଭ ପୋଲିସ ପଡିଆ ଠାରେ 64 ତମ ଶହୀଦ ଦିବସ ପାଳିତ ହୋଇ ଯାଇଛି । ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାର ଓ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କର୍ତ୍ତବ୍ୟ ସମୟରେ ଦେଶର ନିଜ ଦାୟିତ୍ୱ ତୁଲାଉଥିବା ବେଳେ ନିଜ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଶହୀଦ ମାନଙ୍କୁ ସ୍ମରଣ କରିଥିଲେ ଏସ ପି ସ୍ବାତି ଏସ କୁମାର । ଜିଲ୍ଲାରେ ଶହୀଦ ହୋଇ ଥିବା ଶହୀଦଙ୍କ ପରିବାର ବର୍ଗଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନ ଜଣାଇଥିଲେ । ସେହି ବୀରପୁତ୍ର ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏହି ଦିବସ ପାଳନ କରାଯାଉଥିବା ଗଜପତି ଏସ ପି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ଶେଷରେ ପ୍ୟାରେଡ଼ରେ ଥିବା ପୋଲିସ ଯବାନ ମାନେ ଗାର୍ଡ ଅଫ ଅନର ଦେଇଥିଲେ ଓ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ମହାନ୍ତି, ଏସ ଡି ପି ଓ ମାଧବାନନ୍ଦ ନାୟକ ଙ୍କ ସହ ବହୁ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
64 ତମ ସହୀଦ ଦିବସ ପାଳିତ !!!

