‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ରବିବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ ଠାରେ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଜୋନ୍ ସ୍ତରୀୟ ପ୍ରତିଯୋଗିତାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ସହିତ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ୧୪ରୁ ୨୪ବର୍ଷ ବୟସ୍କ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ପ୍ରତିଯୋଗୀ ଦ୍ୱିତୀୟ ପର୍ଯ୍ୟାୟ ତଥା ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସୁରଗନ୍ଧର୍ବ ନବକିଶୋର ମିଶ୍ର, ଗୁରୁ ପ୍ରଭାତ ଦାଶ ଏବଂ ରଜନୀକାନ୍ତ ମହାପାତ୍ର ଯୋଗଦାନ କରି ଶ୍ରେଷ୍ଠ ୧୧ ଜଣ ପ୍ରତିଯୋଗୀଙ୍କୁ ବାଛିଥିଲେ । ସଙ୍ଗୀତଧାରା ସଦସ୍ୟ ତଥା କଣ୍ଠଶିଳ୍ପୀ ପ୍ରଦୀପ୍ତ ରଥ, ଡ.ଆଶୁତୋଷ ମିଶ୍ର, ଜୟଶ୍ରୀ ଦେବୀ, ବିଜୟାନନ୍ଦ ମହାପାତ୍ର, ନିର୍ମଳ ଶୂରଦେଓ, ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଗୋପୀନାଥ ସେଠୀ, ଅଶୋକ ମଲ୍ଲ, ଉମାକାନ୍ତ ମିଶ୍ର,ଗୋକୁଳ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ଡିସେମ୍ବର ୧୭ ତାରିଖରେ ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଖଣ୍ଡପଡ଼ା ଠାରେ ଜୋନ୍ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଙ୍ଗୀତଧାରା ପକ୍ଷରୁ ସୂଚନା ଦିଆଯାଇଛି ।

 

Leave a Reply

Your email address will not be published. Required fields are marked *