ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରେଡିଓ ସାଧାରଣ ଲୋକ ମାନଙ୍କର ବନ୍ଧୁ।ସୂଚନା, ଶିକ୍ଷା,ମନୋରଞ୍ଜନ ମାଧ୍ୟମରେ ସେ ଶିଶୁ ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣା ର କରିନିଏ ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ । ମଙ୍ଗଳବାର ପୂର୍ବାହ୍ନରେ ମରିଚି କୋଟ ଛକଠାରେ ସାମାଜିକ ସଂଗଠନ ‘ବଡ଼ଦାଣ୍ଡ ସେବା’ ର ଚତୁର୍ଥ ବାର୍ଷିକୋତ୍ସବ ଅବସରରେ ବିଶ୍ଵ ରେଡିଓ ଦିବସ ପାଳିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଶ୍ରୀ ସେଠୀ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ଲୋକ ମାନଙ୍କ ଆବଶ୍ୟକତାକୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବାରେ ରେଡ଼ିଓ’ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ବିପର୍ଯ୍ୟୟ ସମୟରେ ଅନ୍ୟ ମାଧ୍ୟମ ପ୍ରଭାବିତ ହେଉଥିବା ବେଳେ ବେତାର ମାଧ୍ୟମ ହିଁ ଲୋକ ମାନଙ୍କୁ ବିବିଧ ଜରୁରୀ ଓ ସତର୍କ ସୂଚନା ପ୍ରଦାନରେ ସହାୟକ ହୋଇ ଥାଏ ବୋଲି କହିଥିଲେ। ଆକାଶବାଣୀ ପୁରୀର କେନ୍ଦ୍ର ନିର୍ଦ୍ଦେଶକ ମାନସ ରଞ୍ଜନ ନାୟକ ରେଡିଓ ପାଖରେ ଥିଲେ କେବେ ହେଲେ କିଏ ଏକଲା ଅନୁଭବ କରିବ ନାହିଁ I ରେଡିଓ ସହିତ ବିଶ୍ବବାସୀ ଅଧିକ ପରିଚିତ । ୧୮୯୫ରୁ ଆରମ୍ଭ ହୋଇ ଥିବା ରେଡ଼ିଓ ସମାଜ କଲ୍ୟାଣରେ ତାହାର ଜୟ ଯାତ୍ରା ଜାରି ରଖିଛି ବୋଲି ସେ କହିଥିଲେ । ଟାଉନ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ ଯୋଗଦେଇ ରେଡ଼ିଓ ସବୁ ସମୟରେ ସମସ୍ତଙ୍କୁ ସେବା ଯୋଗାଇ ଆସିଛି ବୋଲି କହିବା ସହ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ବର୍ଷିୟାନ୍ ରେଡିଓ ପ୍ରେମୀ କୁମୁଦିନୀ ପାଢୀ, ବାଳକୃଷ୍ଣ ମହାପାତ୍ର ଓ ଜଗନ୍ନାଥ ପାଢୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I