ଚିଲିକା ରୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡ଼ା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଥିଲା ନୀଳାମ୍ବୁ ଚିଲିକା ! ଗ୍ରୀଷ୍ମର ଆଗମନରେ ଚିଲିକାର ଉଷ୍ପତା ବୃଦ୍ଧି ପାଇବା ଆରମ୍ଭ ହୋଇଛି । ଗତ ୪ ମାସ ଧରି ମରାଳମାଳିନୀ ଚିଲିକାରେ ବସବାସ କରୁଥିବା ବିଦେଶାଗତ ପକ୍ଷୀ ଏବେ ଚିଲିକାରୁ ବିଦାୟ ନେବା ଆରମ୍ଭ କରିଛନ୍ତି । ନଭେମ୍ବର ମାସର ପ୍ରାରମ୍ଭରେ ପକ୍ଷୀ ସବୁ ହଜାର ହଜାର କିଲୋମିଟର ଆକାଶ ମାର୍ଗରେ ଉଡି ଆସି ଚିଲିକାରେ ପହଞ୍ଚିଥାନ୍ତି । ଏହି ବିଦେଶାଗତ ପକ୍ଷୀ ମାନେ ଏବେ ଗରମ ସହ୍ୟ ନକରି ପାରି ନିଜ ଘର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ୨୦୨୩/୨୪ ଚଳିତ ବର୍ଷ ୧୦୮ ପ୍ରଜାତିର ୧୦ ଲକ୍ଷ୍ୟ ୯୮ ହଜାର ୮୧୩ ରଙ୍ଗ ବେରଙ୍ଗ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବାରୁ ଚିଲିକା ଉତ୍ସବ ମୁଖର ହୋଇ ପଡ଼ିଥିଲା । ପକ୍ଷୀ ଅଭୟାରଣ୍ୟ ନଳ ବନରେ ଅଧିକ ସଂଖ୍ୟକ ପକ୍ଷୀ ଥିବାବେଳେ ଚିଲିକାରୁ ଅଧିକାଂଶ ପକ୍ଷୀ ମାନଙ୍କ ଘର ବାହୁଡା ହୋଇ ଗଲେଣି । ଏପରିକି ସମଗ୍ର ଚିଲିକାରୁ ଗତ ଏକ ସପ୍ତାହ ରୁ ପ୍ରାୟ ୨୦ ଭାଗ ପକ୍ଷୀ ବିଦାୟ ନେଇ ସାରିଥିବା ବେଳେ ଆଉ ଅଳ୍ପଦିନ ମଧ୍ୟରେ ପ୍ରାୟ ଶତକଡା ୮୦ ଭାଗ ପକ୍ଷୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଯିବେ ବୋଲି ଏବେଠାରୁ ସୂଚନା ମିଳି ସାରିଲାଣି । ତେବେ ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସ ମଧ୍ୟରେ ଏହି ବିଦେଶାଗତ ପକ୍ଷୀ ମାନେ ପୁଣି ଚିଲିକାକୁ ଫେରି ଆସି ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବେ ।।

Leave a Reply

Your email address will not be published. Required fields are marked *