ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଦେଶରେ ଜୁନ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉ ଥିବା ବେଳେ ଶୁକ୍ରବାର ଦିନ ବାଣପୁର ଅଞ୍ଚଳରେ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ମଧ୍ୟରେ ଆୟୋଜିତ ଏହି ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ମହାବିଦ୍ୟାଳୟ କର୍ମଚାରୀଙ୍କ ସହ ଯୋଗାଭ୍ୟାସ କରିଥିଲେ ମୁଖ୍ୟ ଅତିଥି ତଥା ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯୋଗାଭ୍ୟାସ ଦ୍ୱାରା କେବଳ ଶରୀର ସୁସ୍ଥ ରୁହେ ତାହା ନୁହେଁ ସାମାଜିକ ପରିବର୍ତ୍ତନ ଆଣିବାରେ ମଧ୍ୟ ସହାୟକ ହୋଇଥାଏ । ମହାବିଦ୍ୟାଳୟରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦେବାଦେବୀ ଏବଂ ଓଡିଶାର ବରପୁତ୍ର ଗୋଦାବରୀଶ ମିଶ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନଗରପାଳ ମିଟୁ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ତ୍ବାବଧାନରେ ବାଣପୁର ଐତିହାସିକ ପଲଟଣ ପଡିଆର କୃତୀବାସ ଭବନ ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇ ଯାଇଛି। ଏହି ଯୋଗ ଶିବିରରେ ଏନଏସିର ଉପାଧ୍ୟକ୍ଷା, କାଉନସିଲର ଓ କର୍ମଚାରୀ ମାନଙ୍କ ସମେତ ଅଞ୍ଚଳ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, କ୍ରୀଡାବିତ୍, ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଯୋଗ ଦେଇ ଥିବା ବେଳେ ଯୋଗ ଶିକ୍ଷକ ପ୍ରସନ୍ନ କୁମାର ଯୋଗ ଓ ପ୍ରାଣାୟମ ର ବିଭିନ୍ନ କୌଶଳ ଅଭ୍ୟାସ କରାଇବା ସହ ଯୋଗ ଦିବସର ମୂଳ ଲକ୍ଷ୍ୟ ଓ ନିୟମିତ ଯୋଗ ସାଧନା କରିବାର ଉପକାରୀତା ସମ୍ପର୍କରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ସଚେତନ କରି ଥିଲେ । ସେହିପରି ଅନୁରୂପ ଭାବେ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ସର୍ବେଶ୍ବର ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ସାମିଲ ହୋଇ ଯୋଗ ଅଭ୍ୟାସ କରିଥିବା ବେଳେ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
ବାଣପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ !!!

