ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆଜି ଠାରୁ ବିଧାନସଭା ! ରାଜ୍ୟରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ୨୪ ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି । ତେଣୁ ଆରମ୍ଭ ହେବାକୁ ଥିବା ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି । ଶାସକ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ସରିଯାଇଛି । ବିଜେଡି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି ଓ ଲୋକଙ୍କ ହିତରେ ସ୍ୱର ଶାଣିତ କରାଯିବ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ସ୍ୱର ଉଠାଇବାକୁ ନବୀନ ପରାମର୍ଶ ଦେଇଛନ୍ତି । ଯେଉଁ ବିଭାଗ ଦାୟିତ୍ୱ ନବୀନ ପଟ୍ଟନାୟକ ଦେଇଛନ୍ତି ତାକୁ ନିର୍ବାହ କରିବୁ ବୋଲି ଲୋକେ କହିଛନ୍ତି । ଲୋକଙ୍କ ପ୍ରଗତି ପାଇଁ କାର୍ଯ୍ୟ କରିବୁ । ବିଜେଡି ସଶକ୍ତ ବିରୋଧୀ ଦଳ ଦାୟିତ୍ୱ ତୁଲାଇବ । ପ୍ରସଙ୍ଗଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ବିଜେପି କ୍ଷମତାକୁ ଆସିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ୱାର୍ଥ ପାଇଁ ଦଳ ସ୍ୱର ଉଠାଇବ । ଚାଷୀଙ୍କୁ ଧାନର ଏମଏସପି, ଭତ୍ତା ,ବିଜୁଳି ଆଦି ଦେବାକୁ କହି ବିଜେପି ରାଜ୍ୟରେ ସରକାରକୁ ଆସିଛି । ତାହା ପୂରଣ କରୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବିଜେଡି କହିଛି ।