୧୧ ଦିନ ପରେ ବିଦେଶରୁ ବାଣପୁର ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଳକ ଅନ୍ତର୍ଗତ ସୁନାକେରା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ବଡପୁଅ ଅଶୋକ ପ୍ରଧାନ (୪୦) ଗତ ନଭେମ୍ବର ୨୦୨୩ ରେ ମଧ୍ୟପ୍ରାଚ୍ୟ ଆବୁଧାବିର ଅଲ ଡଫର ସହରର ନାସିର ଏସ୍ ଅଲ୍‌ହାଜିରି (ଏନଏସଏଚ) କମ୍ପାନୀରେ ରାଜମିସ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ବାପା, ମାଆ, ସ୍ତ୍ରୀଙ୍କ ସମେତ ଦୁଇ ଝିଅ ଓ ପୁଅଙ୍କୁ ନେଇ ଅଶୋକଙ୍କ ପରିବାରରେ ଅଶୋକ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତେବେ ଗତ ୨୦ ତାରିଖରେ କାର୍ଯ୍ୟ ସ୍ଥଳିରେ ଅଶୋକଙ୍କର ମୃତ୍ୟୁ ହୋଇଯାଇଥିବା କମ୍ପାନୀ ପକ୍ଷରୁ ପରିବାରକୁ ଖବର ଦିଆଯାଇଥିଲା । ଅଶୋକଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ତେବେ ଅଶୋକଙ୍କ ମୃତଦେହ, ବୀମାରାଶି ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ପାଇଁ ପରିବାର ଲୋକେ ବିଭିନ୍ନ ପ୍ରଶାସନୀକ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମାତ୍ର କୈାଣସି ସୁଫଳ ମିଳିନଥିଲା । ତେବେ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସର କନସୁଲାର ଅଧିକାରୀ ଅମିତ କୁମାର ସିଂହ, ଏନଏସଏଚ କମ୍ପାନୀର ପ୍ରଶାସନୀକ ଅଧିକାରୀ ଗଣେଶ ପଲେଇଙ୍କ ସହ ଯୋଗାଯୋଗ କରିଥିଲେ । ଶେଷରେ କମ୍ପାନୀ ପକ୍ଷରୁ ମୃତଦେହ ଭାରତର କୋଲକତା ଦମଦମ୍ ଏୟାରପୋର୍ଟକୁ ପଠାଯାଇଥିଲା । ଶେଷରେ ଅଶୋକଙ୍କ ସମ୍ପର୍କୀୟ ଉଲ୍ଲାସ ପ୍ରଧାନ ଓ ସନ୍ତୋଷ ପ୍ରଧାନ ଆମ୍ବୁଲାନ୍ସ ଯୋଗେ କୋଲକାତାରୁ ମୃତଦେହ ନେଇ ଶୁକ୍ରବାର ଅପରାହ୍ଣରେ ଗ୍ରାମରେ ପହଞ୍ଚିଥିଲେ । ସନ୍ଧ୍ୟାରେ ଗ୍ରାମ ଶ୍ମଶାସନରେ ଅଶୋକଙ୍କ ଅନ୍ତେଷ୍ଟି କ୍ରିୟା କରାଯାଇଥିଲା । ଏ’ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ଅଶୋକଙ୍କ ବକେୟା ଓ ବୀମା ରାଶି ପାଇବା ପାଇଁ ପରିବାର ପକ୍ଷରୁ ପ୍ରଶାସନୀକ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *