ମା’ ଭଗବତୀ ଓ ବିରଜାଈଙ୍କ ପବିତ୍ର ଭେଟ ଉତ୍ସବ : ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ସମାଗମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ପ୍ରସିଦ୍ଧ ତନ୍ତ୍ରପୀଠ ବାଣପୁର ମା’ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବର ମଧ୍ୟ ପର୍ବ ଭେଟ ଯାତ୍ରା ବୁଧବାର ରାତ୍ରିରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗୋତ୍ସବ ପାଇଁ ମା’ ଭଗବତୀ ନିଜର ପାଞ୍ଚ ଭଉଣୀଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଥିବା ବେଳେ ବୁଧବାରେ ମା’ଭଗବତୀ ବାଣପୁର ବଜାରରେ ବଡ଼ ଭଉଣୀ ମା’ ବିରଜାଈଙ୍କ ସହ ଭେଟ ହୋଇ ଦୁର୍ଗୋତ୍ସବ ପାଇଁ ନିମନ୍ତ୍ରଣ ଜଣାଇଛନ୍ତି । ରାତ୍ରି ପ୍ରାୟ ଦଶଟାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସହସ୍ରାଧିକ ଭକ୍ତ ଓ ସେବକଙ୍କ ଗହଣରେ ଦୁଇ ଭଉଣୀଙ୍କ ଏହି ପବିତ୍ର ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଭେଟ ଯାତ୍ରା ମା’ ଭଗବତୀଙ୍କର ଏକ ପାରମ୍ପରିକ ପର୍ବ । ଅମାବାସ୍ୟା ତିଥିରେ ପ୍ରତିପଦା ଯୁକ୍ତ ହେବା କ୍ଷଣି ନିର୍ଦ୍ଧାରିତ ସମୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଦୁର୍ଗୋତ୍ସବ ପାଇଁ ମା’ଙ୍କର ତିନି ଭଉଣୀ ମା’ ନାରାୟଣୀ, ମା’ ସିଦ୍ଧାମ୍ବରୀ ଓ ମା’ କାଳିଜାଈ ନିମନ୍ତ୍ରଣ ପାଇ ପୂର୍ବରୁ ବିଜେ କରିଛନ୍ତି । ବୁଧବାର ରାତ୍ରିରେ ପ୍ରତିପଦା ତିଥିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନିର୍ଦ୍ଧାରିତ ସମୟର ବହୁ ବିଳମ୍ଭରେ ଭଗବତୀଙ୍କ ପୀଠରେ ଅବସ୍ଥାନ କରିଥିବା ମା’ ବିରଜାଈଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ସେବାୟତଙ୍କ ଗହଣରେ ବାହାରି ବାଣପୁର ବଜାରରେ ବିଜେ ହୋଇଥିଲେ । ଠିକ୍ ସେହି ସମୟରେ ଦକ୍ଷେଶ୍ୱର ଦେବଙ୍କ ମନ୍ଦିରରୁ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ସେବାୟତଙ୍କ ଗହଣରେ ବାହାରି ବଜାରରେ ବିଜେ ହୋଇଥିଲେ । ବାଣପୁର ବଜାର ମଧ୍ୟରେ ଦୁଇ କାଠି ଠାକୁରାଣୀ ଏକାଠି ହେବା ପରେ ସେବାୟତଙ୍କ ଗହଣରେ ଦୁଇ ଭଉଣୀଙ୍କ ନୃତ୍ୟରତ ଅବସ୍ଥାରେ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଘଣ୍ଟ, ବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରାୟ ଅଧ ଘଣ୍ଟାଏ ଧରି ଦୁଇ ଭଉଣୀଙ୍କ ନୈସର୍ଗିକ ମିଳନ ପରେ ମା’ ବିରଜାଈଙ୍କ କାଠି ଠାକୁରାଣୀ ବାହାର ପର୍ବ ଗୃହ ସାତବଖରା ଗୃହରେ ପ୍ରବେଶ କରିଥିଲେ । ଏହା ପରେ ଦକ୍ଷେଶ୍ୱର ମନ୍ଦିରରେ ଅବସ୍ଥାନ କରିଥିବା ଅନ୍ୟ ଭଉଣୀମାନେ ସାତବଖରା ଗୃହକୁ ପ୍ରବେଶ କରିଥିଲେ । ଅନ୍ୟ ପକ୍ଷରେ ମା’ ଭଗବତୀଙ୍କ କାଠି ଠାକୁରାଣୀ ଭଗବତୀ ମନ୍ଦିର ବେଢ଼ାରେ ପ୍ରବେଶ କରିବା ପରେ ସେଠାରେ ବିଭିନ୍ନ ପୂଜାବିଧି ସଂପନ୍ନ ହେବା ପରେ ସେବାୟତମାନେ କାଠି ଠାକୁରାଣୀଙ୍କ ସହ ମା’ ଭଗବତୀଙ୍କ ଆଜ୍ଞାମାଳ ନେଇ ସାତବଖରା ଗୃହ ଅଭିମୁଖେ ଆସିଥିଲେ । ଚଳିତ ବର୍ଷ ଏହି ଉତ୍ସବ ଦେଖିବା ପାଇଁ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା ।

Leave a Reply

Your email address will not be published. Required fields are marked *