ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଐ୍ୟତିହାସିକ ବାଣପୁର ପଞ୍ଚୁଦୋଳ ଗୁରୁବାର ସନ୍ଧ୍ୟାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାରୋହରେ ଉଦ୍ଯାପିତ ହୋଇଯାଇଛି ।
ବୁଧବାର ବିଳମ୍ବିତ ରାତ୍ରରେ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବ, ମା ଭଗବତୀ, ଆଠ ଶାସନର ମୁଖ୍ୟ ରଙ୍କନାଥ ଦେବ, ନଅ ଦେଉଳର ମୁଖ୍ୟ ଉମାମହେଶ୍ୱର ଦେବ, ଭେଟିନାଥ ଦେବ ପ୍ରମୁଖ ଦେବା ଦେବୀଙ୍କ ସହିତ କପିଳେଶ୍ୱର ଦେବ, ଗୋପୀନାଥ ଦେବ, ବାଳୁଙ୍କେଶ୍ୱର ଦେବ, ରଘୁନାଥ ଦେବ, ଗତିଶ୍ୱର, ଗୁପ୍ତେଶ୍ୱର, ରାମେଶ୍ୱର, ସ୍ୱପ୍ନେଶ୍ୱର ଦେବ, ଝାଡେଶ୍ୱର ଦେବ ପ୍ରଭୃତି ଆଖପାଖ ଶତାଧିକ ଗ୍ରାମର ୧୭୦ ଠାକୁରଙ୍କ ବିଜେ ପ୍ରତିମା ବୃଷଭ, ସିଂହ, ଗରୁଡ, ହନୁମାନ ଓ ଚଉଦୋଳ ପ୍ରଭୃତି ୮୪ଟି ଦୋଳ ବିମାନରେ ସୁସଜିତ ହୋଇ ବାଜା ରୋଷଣୀ ପଟୁଆର ଆତସବାଜି ଶଙ୍ଖ ଘଣ୍ଟା କାହାଳୀ ନାଦରେ ଏକ ଆଧ୍ୟାତ୍ମିକ ପରିବେଶରେ ବିଭିନ୍ନ ଗ୍ରାମ ପରିକ୍ରମା କରି ପଲଟଣ ପଡିଆରେ ଏକତ୍ରିତ ହୋଇଥିଲେ । ପାଇକ ଆଖଡା, ଘୋଡାନାଚ, ଯୋଡି ଶଙ୍ଖ ସହ ଡିଜେ ଶଦ୍ଧରେ ପ୍ରକମ୍ପିତ ହୋଇ ଉଠିଥିଲା ପଲଟଣ ପଡିଆ । ମା ଭଗବତୀ, ଚରଣ ଚକାଦେବ, ରଙ୍କନାଥ ଦେବ, ଉମା ମହେଶ୍ୱର ଦେବ ପ୍ରମୁଖ ଦେବାଦେବୀ ଆସନ ଗ୍ରହଣ କରିବା ପରେ ଅନ୍ୟାନ୍ୟ ଦେବାଦେବୀ ମାନେ ନିଜ ନିଜର ଆସନରେ ଉପବେସନ କରିଥିଲେ । ଏହା ପରେ ବାଦ୍ୟଯନ୍ତ୍ର, ରୋଷଣୀ ଓ ଶୋଭାଯାତ୍ରା ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚଉଦୋଳରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ବାଲୁଗାଁ, ସିଂହରେ କନକ ଦୁର୍ଗା ଦେବୀ ପାଟପୁର, ବୃଷଭରେ ଶ୍ରୀ ଶ୍ରୀ କପିଳେଶ୍ୱର ଦେବ ଅଚ୍ୟୁତରାଜପୁର, ଗରୁଡରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ସାନ ହନ୍ତୁଆଡ, ହନୁମାନରେ ଶ୍ରୀ ଶ୍ରୀ ରାମଚନ୍ଦ୍ର ଦେବ ଭୀମପୁର, ଶୋଭାଯାତ୍ରାରେ ଗାଲୁଆର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ, ବାଲିପଦରର ଶ୍ରୀ ଶ୍ରୀ ଲୋକନାଥ ଦେବ ଏବଂ ଭେଟେଶ୍ୱରର ଶ୍ରୀ ଶ୍ରୀ ଭେଟିନାଥ ଦେବଙ୍କ ସମେତ ପୁଞ୍ଜିଆମାର ଶ୍ରୀ ଶ୍ରୀ କନକ ଦୁର୍ଗା ଦେବୀ ଓ ଶ୍ରୀ ଶ୍ରୀ ଭେଟିନାଥ ଦେବଙ୍କ ମାର୍ଫତଦାରଙ୍କୁ ସ୍ୱତନ୍ତ୍ର ଆକର୍ଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ବୁଧବାର ମଧ୍ୟାହ୍ନରୁ ପଡିଆରେ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ସନ୍ଧ୍ୟାରେ ତୁଳସୀ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଭୋରରୁ ଶୋଭାଯାତ୍ରା, ଆତସବାଜୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୯ଟାରୁ ଅପରାହ୍ନ ଯାଏଁ ଠାକୁରଙ୍କ ନୀତିକାନ୍ତି ସମେତ ସଂକୀର୍ତ୍ତନ, ଭୋଗଲାଗି ହେବା ସହ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଲାଗି ରହିଥିଲା । ସନ୍ଧ୍ୟାରେ ମେଳଣ ଦର୍ଶନ କରିବାକୁ ୫୦ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାବେଶ ହୋଇଥିଲା । ପଞ୍ଚଦୋଳ ଯାତ୍ରା କମିଟୀର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯାତ୍ରା ପରିଚାଳନା କରିଥିବା ବେଳେ ନେହେରୁ ସେବା ସଂଘ, ସତ୍ୟସାଇ ସେବାକେନ୍ଦ୍ର, ଦ ହୋଲି ଫ୍ୟାମିଲି, ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୃତି ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସମେତ ବାଣପୁର ଅଗ୍ନିଶମ କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହଯୋଗ ଯୋଗାଇ ଦେଇଥିଲେ । ସ୍ଥାନୀୟ ବିଧାୟକ ତଥା ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ଜିଲାପାଳ, ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯାତ୍ରାରେ ଉପସ୍ଥିତ ରହି ଠାକୁରଙ୍କ ଆଶିଷ ଲାଭ କରିଥିବା ବେଳେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ୩ ପ୍ଳାଟୁନ ପୁଲିସ ଫୋର୍ସ ସହ ପଡିଆରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।
ବାଣପୁର ପଞ୍ଚୁଦୋଳ ମେଳଣ ଯାତ୍ରା ଉଦ୍ଯାପିତ !!!

